ଲାଞ୍ଚ ନେଇ କନିଷ୍ଠ କିରାଣି ଗିରଫ

କଟକ ଅଫିସ,୧୩।୩: ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ କଟକ କାଜିବଜାରସ୍ଥିତ ଭକ୍ତମଧୁ ବିଦ୍ୟାପୀଠର କନିଷ୍ଠ କିରାଣି ନାରାୟଣ ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ବିଭାଗ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ସହକାରୀ ଶିକ୍ଷକ ସୁମନ୍ତ କୁମାର ଧାନିକ ବକେୟା ୪୩ହଜାର ଟଙ୍କା ପାଇବେ। ବିଲ୍‌ ପ୍ରସ୍ତୁତ କରିବା ପାଇଁ କନିଷ୍ଠ କିରାଣି ସାହୁ ତାଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଧାନିକ କଟକ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ସ୍କୁଲ ପରିସରରେ ଧାନିକଙ୍କଠାରୁ ସାହୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ବିଦ୍ୟାଧରପୁରସ୍ଥିତ ତାଙ୍କ ବାସଭବନରେ ତଲାସି କରାଯାଇଥିଲା। ଏ ନେଇ କଟକ ଭିଜିଲାନ୍ସରେ ଏକ ମାମଲା(ନଂ.୩/୨୦) ରୁଜୁ ହୋଇଛି।