ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ବାରିପଦା ଜଗନ୍ନାଥ ମନ୍ଦିର ସେବାୟତ ତଥା ଠିକାଦାର କାମେଶ୍ୱର ତ୍ରିପାଠୀଙ୍କଠାରୁ ସେ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦିନ ପ୍ରାୟ ୧୨ ଟା ୩୦ ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଧରାପଡିଥିଲେ।
ଚଢ଼ାଉରେ ନେତୃତ୍ୱ ନେଉଥିବା ବାରିପଦା ଭିଜିଲାନ୍ସ ଡିଭିଜନ ଡିଏସପି ଶରତ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଠିକାଦାର ତ୍ରିପାଠୀ ଏହି ବିଭାଗ ଅଧୀନରେ ୨ ଲକ୍ଷ ୮୦ ହଜାର ଟଙ୍କାର ଏକ ଠିକା କାର୍ଯ୍ୟ କରିଥିଲେ। ଏହି କାମ ଗତ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଥିବା ବେଳେ ସେପ୍ଟେମ୍ବର ମାସ ସୁଦ୍ଧା ବିଲ୍‌ ହୋଇ ପାରି ନାହିଁ। ଏହାର ବିଲ୍‌ କରିବା ପାଇଁ କ୍ୟାସିୟର ସେଜପଡା ୧୪ ହଜାର ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ବିଲ୍‌ କରିବେନି ବୋଲି କହିଥିଲେ। ଏନେଇ ଠିକାଦାର ତ୍ରିପାଠୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗ ଏକ ମାମଲା (ନଂ.୩୩/୧୯)ରୁଜୁ କରିଥିଲା। ପୂର୍ବ ଯୋଜନା ମୁତାବକ ସେଜପଡା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢାଉ କରି ଲାଞ୍ଚ ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ। ଏହି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଭିଜିଲାନ୍ସ ବିଭାଗ ବହୁତ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ନଗଦ ୩୨ ହଜାର ଟଙ୍କା ଜବତ କରିଛି। ଏହା ସହିତ ବେତନଟୀସ୍ଥିତ ସେଜପଡାଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ବି.ହେମ୍ବ୍ରମ, ଇନ୍ସପେକ୍ଟର ସବିତା ବେହେରା, ତରୁଣ ପାଲବାବୁ, ଲଳିତ ରାଉତଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ।

Share