ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଆର୍ଏସ୍
ସାକ୍ଷୀଗୋପାଳ, ୭।୩(ଡି.ଏନ୍.ଏ): ପୁରୀ ଜିଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତ ଜିଆର୍ଏସ୍ ଛବି ନାରାୟଣ ପଣ୍ଡା ଲାଞ୍ଚ ନେବା ଅଭିଯୋଗରେ ଶନିବାର ସକାଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଛବି ବାଁବରଡ଼ା ଗ୍ରାମର ହିତାଧିକାରୀ ଇନ୍ଦ୍ରମଣି ପଣ୍ଡାଙ୍କୁ ୧୦ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ମାତ୍ର ଇନ୍ଦ୍ରମଣି ଏକକାଳୀନ ୧୦ ହଜାର ଟଙ୍କା ଦେଇପାରିବେ ନାହିଁ, ଟଙ୍କା ପାଇବା ପରେ ଦେବି ବୋଲି ସେ କହିଥିଲେ। ହେଲେ ଜିଆର୍ଏସ୍ ଏଥିରେ ରାଜି ହୋଇ ନ ଥିଲେ। ଏ ନେଇ ଇନ୍ଦ୍ରମଣି ପୁରୀ ଭିଜିଲାନ୍ସ ଅଧିକାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ଭିଜିଲାନ୍ସ ଡିଏସ୍ପି ହରି ନାରାୟଣ ପତିଙ୍କ ତତ୍ତ୍ୱାବଧାନରେ ଇନ୍ସପେକ୍ଟର ସତ୍ୟ ନାରାୟଣ ଭଦ୍ରା, ପୁରୀ ଇନ୍ସପେକ୍ଟର ମଦନ ମୋହନ ପ୍ରଧାନ, ଚନ୍ଦନ ପଣ୍ଡା, ସଞ୍ଜୟ ପଣ୍ଡିତ ପ୍ରମୁଖ ଅଧିକାରୀ ଜିଆର୍ଏସ୍ଙ୍କ ନିକଟରୁ କେମିକାଲ ରଙ୍ଗ ଦିଆ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ଭିଜିଲାନ୍ସ ଟିମ୍ ତାଙ୍କ ଘରେ କିଛି କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।