Categories: ଖେଳ

ଲାଞ୍ଚ ନେବା କଥା ସ୍ବୀକାର କଲେ ଜାମ୍‌ସେଦ

ଲଣ୍ଡନ,୧୧।୧୨(ଏଏଫ୍‌ପି)- ପାକିସ୍ତାନ ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ନାସିର ଜାମସେଦ ଫିକ୍ସିଂ କରିବା ପାଇଁ ଷଡଯନ୍ତ୍ରରେ ସାମିଲ ହୋଇଥିବା ସ୍ବିକାର କରିଛନ୍ତି। ସେ ଏଥିପାଇଁ ଲାଞ୍ଚ ମଧ୍ୟ ନେଇଛନ୍ତି ବୋଲି ସୋମବାର ମାନିଛନ୍ତି। ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ର ଏକ ଟି୨୦ ମ୍ୟାଚ୍‌ରେ ସ୍ପଟ୍‌ ଫିକ୍ସିଂ ନେଇ ଚାଲିଥିବା ଶୁଣାଣି ଅବସରରେ ସେ ଏହି କଥା କହିଛନ୍ତି। ୩୩ ବର୍ଷୀୟ ଜାମସେଦ ପିଏସ୍‌ଏଲ ଉପରେ ଫୋକସ କରିବା କାରଣରୁ ପ୍ରଥମେ ଏହି କଥା ସ୍ବୀକାର କରୁ ନ ଥିଲେ। ତେବେ ମାଞ୍ଚେଷ୍ଟରରେ ଏ ନେଇ ଚାଲିଥିବା ଶୁଣାଣିରେ ଏବେ ସେ ନିଜର ବୟାନ ବଦଳାଇଛନ୍ତି।
ପୂର୍ବରୁ ୟୁସୁଫ୍‌ ଅନଓ୍ବର ଓ ମହମ୍ମଦ ଇଜଜା ନାମକ ଦୁଇ ବ୍ୟକ୍ତି ଗତ ସପ୍ତାହରେ ପିଏସ୍‌ଏଲ୍‌ ଖେଳାଳିଙ୍କୁ ଲାଞ୍ଚ୍‌ ଯାଚିବା କଥା ସ୍ବୀକାର କରିଥିଲେ। ଆସନ୍ତା ଫେବୃୟାରୀରେ ଏହି ୩ଜଣଙ୍କୁ ଦଣ୍ଡିତ କରାଯିବ। ପୋଲିସ୍‌ ପାଖରେ ମଧ୍ୟ ଏ ନେଇ ଯଥେଷ୍ଟ ପ୍ରମାଣ ରହିଛି ବୋଲି କୁହାଯାଇଛି। ୨୦୧୬ ଶେଷ ଆଡକୁ ବାଂଲାଦେଶ ପ୍ରିମିୟର ଲିଗ୍‌ (ବିପିଏଲ୍‌)ରେ ମଧ୍ୟ ଫିକ୍ସିଂ ପାଇଁ ପ୍ରୟାସ ହୋଇଥିଲା। ଦୁଇଟି ଯାକ ମାମଲାରେ ଓପନିଂ ବ୍ୟାଟ୍ସମ୍ୟାନ ଏକ ଓଭରର ପ୍ରଥମ ଦୁଇଟି ବଲ୍‌ରେ ରନ୍‌ ସ୍କୋର ନ କରିବାକୁ ଓ ପ୍ରତିବଦଳରେ ଅର୍ଥ ନେବାକୁ ରାଜି ହୋଇଥିଲେ ବୋଲି କୁହାଯାଇଛି। ଉଲ୍ଲେଖଥାଉ କି, ଜାମ୍‌ସେଦ ପାକିସ୍ତାନ ପାଇଁ ଟେଷ୍ଟ, ଦିନିକିଆ ଓ ଟି୨୦ ଖେଳିଛନ୍ତି।

Share