ଲାଞ୍ଚ ମାମଲା: ଅଭିଯୁକ୍ତଙ୍କୁ ଦେଢବର୍ଷ ଜେଲ ସହ ଜରିମାନା

ବ୍ରହ୍ମପୁର ଅଫିସ,୧୪ା୧: ଗଞ୍ଜମ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ଜଜ ସୁବ୍ରତ ମହାନ୍ତି ସୋମବାର ଏକ ଲାଞ୍ଚ ଗ୍ରହଣ ମାମଲାର ଶୁଣାଣି କରିଥିଲେ। ପ୍ରମାଣ ମିଳିଥିବାରୁ ଅଭିଯୁକ୍ତ ବ୍ରହ୍ମପୁର ସବ୍‌ ରେଜିଷ୍ଟ୍ରାର ଅଫିସର ତତ୍କାଳୀନ କର୍ମଚାରୀ ରାମକୃଷ୍ଣ ବେହେରାଙ୍କୁ ଦେଢବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହିତ ୭ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୫ ମାସ ଜେଲ ଦଣ୍ଡରେ ଦଣ୍ଡିତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ, ବେନ୍ଦାଳିଆ ଗ୍ରାମର ଜିତାଞ୍ଜୟ ସାହୁ ସବ-ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଏକ ବାହାଘର ସାର୍ଟିଫିକେଟ ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ଉକ୍ତ କାର୍ଯ୍ୟାଳୟ କର୍ମଚାରୀ ରାମକୃଷ୍ଣଙ୍କୁ ସାକ୍ଷାତ କରିଥିଲେ। ଏଥିପାଇଁ ସେ ୧୫ଶହ ଟଙ୍କା ଲାଞ୍ଚ ମାଗିଥିଲେ। ୨୦୧୪ ଅଗଷ୍ଟ ୧୪ ରେ ରାମକୃଷ୍ଣ ଆବେଦନକାରୀଙ୍କଠାରୁ ତାଙ୍କ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ଧରାପଡି ଗିରଫ ହୋଇଥିଲେ। ଭିଜିଲାନ୍ସ ମାମଲା ନମ୍ବର ୩୪/୧୪ରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ତଦନ୍ତକାରୀ ଅଧିକାରୀ ତଥା ତତ୍କାଳୀନ ଭିଜିଲାନ୍ସ ଇନ୍ସପେକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ କୋର୍ଟରେ ଚାର୍ଜଶିଟ ଦାଖଲ କରିଥିଲେ। ସୋମବାର ଉକ୍ତ ମାମଲାର ବିଚାର ବେଳେ ୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ବିଚାରପତି ଉପରୋକ୍ତ ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ତପନ କୁମାର ଦାସ ମକଦ୍ଦମା ପରିଚାଳନା କରିଥିଲେ।

Share