ଲାଞ୍ଚ ମାମଲା: ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ୨ ବର୍ଷ ଜେଲ

ଫୁଲବାଣୀ ଅଫିସ,୩୦ା୧୦: ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଭଗବାନ ପ୍ରଧାନ ଏକ ଲାଞ୍ଚ ମାମଲାର ବିଚାର କରି ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଗୁଟିଙ୍ଗିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଧୀନ୍ଦ୍ର ସାହୁଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟେ ୬ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି।
୨୦୧୫ ମସିହାରେ ଗୁଟିଙ୍ଗିଆ ପଞ୍ଚାୟତ କାର୍ଯ୍ୟାଳୟଠାରୁ ଗୁଡ୍ରିପଡି ଗ୍ରାମ ପର୍ଯ୍ୟନ୍ତ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଏକ ମାଟିରାସ୍ତା ନିର୍ମାଣ ହୋଇଥିଲା। ମଷ୍ଟରରୋଲ ଜରିଆରେ ଉକ୍ତ କାମର ବିଲ୍‌ କରାଯାଇ ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ା ବଳକା ୫୦ ହଜାର ଟଙ୍କାର ମଷ୍ଟରରୋଲ ପ୍ରସ୍ତୁତ କରିବା ପାଇଁ ଗାଁସାଥୀ କୁବେର ପ୍ରଧାନ ୨୦୧୫ ଅକ୍ଟୋବର ୮ ତାରିଖରେ ନିର୍ବାହୀ ଅଧିକାରୀ ସୁଧୀନ୍ଦ୍ରଙ୍କ ପାଖକୁ ଯାଇଥିଲେ ା ସେ ଏଥିପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ା ଏ ନେଇ କୁବେର ଫୁଲବାଣୀସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ନଂ.୪୮/୨୦୧୫ ରୁଜୁ କରାଯାଇଥିଲା। ଉକ୍ତ ଦିନ ସନ୍ଧ୍ୟାରେ ଯୋଜନା ପ୍ରକାରେ କୁବେର ପଞ୍ଚାୟତ କାର୍ଯ୍ୟାଳୟରେ ସୁଧୀନ୍ଦ୍ରଙ୍କୁ ୧୦ ହଜାର ଟଙ୍କା ଦେବାବେଳେ ଭିଜିଲାନ୍ସ କର୍ମଚାରୀମାନେ ପହଞ୍ଚି ଉକ୍ତ ଟଙ୍କା ଜବତ କରିଥିଲେ। ସୁଧୀନ୍ଦ୍ରଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ା ଉକ୍ତ ମାମଲାର ରାୟ ପ୍ରକାଶ ପାଇଛି। ସରକାରଙ୍କ ତରଫରୁ ସ୍ବତନ୍ତ୍ର ପିପି ସୁରେଶ କୁମାର ମହାପାତ୍ର ମାମଲା ପରିଚାଳନା କରିଥିଲେ ା

Share