ଲାଠିମାଡ଼ ପରେ ବି ସୁଧୁରିଲେନି

ଭୁବନେଶ୍ୱର,୮ା୪ (ବ୍ୟୁରୋ): ଘାତକ କରୋନା ଭାଇରସ୍‌ଠାରୁ ରକ୍ଷା ପାଇବାକୁ ହେଲେ ଘରେ ରହିବା ହିଁ ସବୁଠୁ ଓ ଏକମାତ୍ର ଭଲ ବିକଳ୍ପ। ସରକାରଙ୍କଠାରୁ ଆରମ୍ଭ କରି ପୋଲିସ ଓ ବିଭିନ୍ନ ସଂଗଠନ ଲୋକଙ୍କୁ ବାରମ୍ବାର ବୁଝାଉଛନ୍ତି। କଟକଣା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ସୋମବାର କମିଶନରେଟ ପୋଲିସ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଲାଠି ପାହାର ଦେବା ସହ ସେମାନଙ୍କ ବାଇକକୁ ଜବତ କରିଥିଲା। ଗୋଟିଏ ଦିନରେ ଟ୍ବିନ୍‌ ସିଟି କଟକ ଓ ଭୁବନେଶ୍ୱରରୁ ୨ ହଜାରରୁ ଉର୍ଦ୍ଧ୍ୱ ବାଇକ ଜବତ କରାଯାଇଥିଲା। ତଥାପି ସୁଧୁରିଲେନି ସେହି ଅମାନିଆ। ମଙ୍ଗଳବାର ନିୟମ ନ ମାନି ଭୁବନେଶ୍ୱର ସହର ଭିତରେ ବୁଲୁଥିବା ୭୨୧ ଜଣଙ୍କୁ ପୋଲିସ ଧରିଛି। ବାଇକ ଜବତ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିଛି। ସେହିପରି କଟକରେ ୭୫୦ ଜଣଙ୍କୁ ଧରି ବାଇକ ଜବତ କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି, ଅମାନିଆଙ୍କ ବିରୋଧରେ ନିଆଯାଉଥିବା କାର୍ଯ୍ୟାନୁଷ୍ଠାନ କୋହଳ ହେଉଥିବାରୁ ସେମାନେ ଏପରି ବୁଲୁଛନ୍ତି। ଯଦି ସେମାନଙ୍କ ବିରୋଧରେ ପୋଲିସ ଅଧିକ ଜରିମାନା କରନ୍ତା ଓ କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତା, ତେବେ ସେମାନେ ଘରୁ ଗାଡି କାଢିବାକୁ ଡରନ୍ତେ ବୋଲି ଦାଶ କହିଛନ୍ତି। ଅନ୍ୟପକ୍ଷରେ ଗତ ଦୁଇଦିନ ଭିତରେ ରାଜ୍ୟରେ ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ୨୨୭ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିଭଳି ହୋମ୍‌ କ୍ୱାରାଣ୍ଟାଇନ୍‌ ନିୟମ ଭାଙ୍ଗିବାରୁ ୩ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି।
ସାଇକେଲରେ ବୁଲିଲେ ଅମାନିଆ
ବାଇକରେ ବୁଲିଲେ ପୋଲିସ ମାଡ଼ ମାରିବା ସହ ବସ୍‌ଉଠ, ଜରିମାନା ଆଦି ଦଣ୍ଡ ଦେଉଥିବାରୁ କେତେଜଣ ଅମାନିଆ ଭିନ୍ନ ଢଙ୍ଗରେ ପୋଲିସକୁ ଚକ୍‌ମା ଦେଖାଇଛନ୍ତି। ଆବଶ୍ୟକ ନ ଥାଇ ସାଇକେଲ ଧରି ଚକ୍କର କାଟିଥିବା ଦେଖିବାକୁ ମିଳିଛି। କେହି ସାଇକେଲରେ ଖାଲି ବୋତଲ ଧରି ତେଲ ଆଣିବା ବାହାନା କରିଥିଲେ ତ ପୁଣି ଆଉ କିଏ ପରିବା ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ନାଁରେ ଘୂରିବୁଲିଥିଲେ। ବିଶେଷକରି ସୋମବାର ଯେଉଁ ସ୍ଥାନରେ ଧରାପଡିଥିଲେ ସେହି ସ୍ଥାନରେ ସାଇକେଲରେ ପହଞ୍ଚତ୍ ପୋଲିସକୁ ଚକ୍‌ମା ଦେଇଛନ୍ତି।

Share