ଲାବଣ୍ୟଦେଈପୁର ଓ ଶରତ ପଞ୍ଚାୟତବାସୀଙ୍କ ବିକ୍ଷୋଭ

କପ୍ତିପଦା,୧୨ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶରତ ଓ ଲାବଣ୍ୟଦେଈପୁର ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଲାବଣ୍ୟଦେଈପୁର ପଞ୍ଚାୟତ ଅଧୀନରେ ଥିବା ଆଦିବାସୀ ଅଧ୍ୟୁଷିତ ଧନଚତୁରୀ, ହୁଡିସାହି, କଟୁରିଆ, ଶାଣଦେଇ, ପାତାସାହି, ଢିପାସାହି, ଗଜାପଥର, ଗାଇପାଣିଖିଆ ଓ ଚାପଲସାହି ଗ୍ରାମବାସୀ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି ା ସ୍ବାଧୀନତାର ୭୨ବର୍ଷ ପରେ ମଧ୍ୟ ସେମାନଙ୍କର ମାୈଳିକ ସମସ୍ୟା ଯଥା ପାଣି, ଘର, ଭତ୍ତା, ରାଶନକାର୍ଡ, ଜଙ୍ଗଲ ଜମିି ପଟ୍ଟା ଆଦି ସମସ୍ୟାର ସମାଧାନ ହୋଇ ନାହିଁ ା ଏଥିନେଇ ସେମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁି। ଏସମ୍ପର୍କରେ ମାଝୀ ହାଡାମ ଜୟ ମୁର୍ର୍ମୁୁ, କାରାନ ମୁର୍ମୁ, ବାଗାନ ସିଂ, ଶରତ ଚନ୍ଦ୍ର ମୁର୍ମୁ ଓ ମୁଖିଆ ସିଂ ଆଲପାଙ୍କ ନେତୃତ୍ୱରେ ଗ୍ରାମବାସୀ କପ୍ତିପଦା ବ୍ଲକ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଡିଓଙ୍କ ଅନୁପସ୍ଥିତିରେ ସହକାରୀ ଯନ୍ତ୍ରୀ ସଦାଶିବ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ମୁତାବକ ଆଗାମୀ ୩ମାସ ମଧ୍ୟରେ ଯଦି ସେମାନଙ୍କର ମାୈଳିକ ସମସ୍ୟାଗୁଡ଼ିକର ସମାଧାନ ନ ହୁଏ ତେବେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ଶତାଧିକ ଆଦିବାସୀ ମହିଳାପୁରୁଷ କପ୍ତିପଦାଠାରେ ଉଦଳା-କପ୍ତିପଦା ଓ ବାଲେଶ୍ୱର ରାସ୍ତାକୁ ଅବରୋଧ କରିବେ ବୋଲି କହିଛନ୍ତି ା
ସେହିପରି ଶରତ ପଞ୍ଚାୟତର ୱାର୍ଡ ନଂ.୨ରେ ଥିବା ବିଦ୍ୟାଳୟଠାରୁ ବାଲେସାହି ରାସ୍ତା ନିର୍ମାଣ, ପାରାଏ ଘରଠାରୁ ସିମଲ ଘର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଓ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ ପାଇଁ ଦାବି ହୋଇଛି। ସରକାର ଆଦିବାସୀମାନଙ୍କ ପାଇଁ ବିଭିନ୍ନ ଜନାଭିମୁଖୀ ଯୋଜନା ପ୍ରସ୍ତୁତ କରୁଥିବା ବେଳେ କେତେକ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଏହାର ସଫଳ ରୂପାୟନ ସେମାନଙ୍କ ନିକଟରେ ପହଞ୍ଚି ପାରୁ ନ ଥିବାର ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏହିଭଳି ଆଦିବାସୀ ମାରଣ ନୀତି ବନ୍ଦ ନ କଲେ ଆଗାମୀ ଦିନରେ ଏହା ଆନ୍ଦୋଳନର ରୂପ ନେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ବିଡିଓ ବିଶ୍ୱଜିତ ପଣ୍ଡାଙ୍କୁ ପଚାରିବାରୁ ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହିତ କଥା ହୋଇ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି।

Share