Categories: ଖେଳ

ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୮୩/୩

ସିଡନୀ,୩।୧(ଏଏଫ୍‌ପି): ଇନ୍‌ଫର୍ମ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ଅପରାଜିତ ଶତକ ଓ ଅଭିଜ୍ଞ ଷ୍ଟିଭ୍‌ ସ୍ମିଥ୍‌ଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍‌ରେ ଭଲ ଆରମ୍ଭ କରିଛି। ସ୍ଥାନୀୟ ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି ଅଷ୍ଟ୍ରେଲିଆ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୯୦ ଓଭରରେ ୩ ଉଇକେଟ ହରାଇ ୨୮୩ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ମାର୍ନସ ଲାବୁସେନ ୧୩୦ ଓ ମାଥ୍ୟୁ ଓ୍ବେଡ ୨୨ ରନକରି ଅପରାଜିତ ରହିଛନ୍ତି।
ଦକ୍ଷିଣ ଆଫ୍ରିକା ଜନ୍ମିତ ଲାବୁସେନ ୨୧୦ଟି ବଲର ସମ୍ମୁଖୀନ ହୋଇ ୧୨ ଚୌକା ଓ ୧ ଛକା ସହ ଶତକୀୟ ପାଳି ଖେଳିଛନ୍ତି। ଏଥିସହିତ ଗତ ୭ଟି ଟେଷ୍ଟ ମ୍ୟାଚ୍‌ରେ ଲାବୁସେନ କ୍ୟାରିୟରର ଚତୁର୍ଥ ଶତକ ହାସଲ କରିଛନ୍ତି। ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ସେ ଏହି ସଫଳତା ହାସଲ କରିଛନ୍ତି। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ଲାବୁସେନ ଗତବର୍ଷ ବେଶ୍‌ ସଫଳ ରହିଥିଲେ। ସେ ୬୪.୯୪ ରନ ହାରରେ ୧୧୦୪ ରନ ସଂଗ୍ରହ କରିଛନ୍ତି। ନୂଆବର୍ଷରେ ମଧ୍ୟ ପ୍ରଥମ ଟେଷ୍ଟ ଖେଳି ସେ ଏହି ସଫଳତା ଦୋହରାଇଛନ୍ତି ଓ ଚଳିତ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ଦ୍ୱିତୀୟ ଶତକ ଅର୍ଜନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭ୍‌ ସ୍ମିଥ୍‌ ୬୩ ରନର ଅର୍ଦ୍ଧଶତକୀୟ ପାଳି ଖେଳି କଲିନ ଡି ଗ୍ରାଣ୍ଡହୋମଙ୍କ ବଲରେ ପ୍ରଥମ ସ୍ଲିପ୍‌ରେ ରସ୍‌ ଟେଲରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ୧୮୨ଟି ବଲର ସମ୍ମୁଖୀନ ହୋଇ ୪ ଚୌକା ସହ ସେ କ୍ୟାରିୟରର ୨୮ତମ ଟେଷ୍ଟ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ତୃତୀୟ ଉଇକେଟ ଯୋଡିରେ ସ୍ମିଥ୍‌ ଓ ଲାବୁସେନ ୧୫୬ ରନ ସଂଗ୍ରହ କରିଥିଲେ। ଓପନର ଜୋ ବନର୍‌ସ ୧୮ ରନ କରିଥିବା ବେଳେ ଗ୍ରାଣ୍ଡହୋମଙ୍କ ବଲ୍‌ରେ ପ୍ରଥମ ସ୍ଳିପ୍‌ରେ ଟେଲରଙ୍କୁ କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ପୁଣି ଥରେ ଲେଗ୍‌ ସାଇଡ୍‌ରେ ଧରା ପଡିଥିଲେ। ଲଞ୍ଚ୍‌ ପରେ ତୃତୀୟ ବଲରେ ହିଁ ସେ ଆଉଟ ହୋଇଥିଲେ। ୪୫ ରନ କରି ଜମି ଆସୁଥିବା ବେଳେ ନିଲ ଓ୍ବାଗନରଙ୍କ ବଲ୍‌ରେ ଲେଗ୍‌ ଗଲିରେ ଗ୍ରାଣ୍ଡହୋମଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲେ। ଚତୁର୍ଥ ଥର ପାଇଁ ଏହି ସିରିଜରେ ଓ୍ବାର୍ନରଙ୍କୁ ଆଉଟ କରିଛନ୍ତି ଓ୍ବାଗନର। ବୋଲିଂରେ ନ୍ୟୁଜିଲାଣ୍ଡ ତରଫରୁ ଗ୍ରାଣ୍ଡହୋମ ୨ ଓ ଓ୍ବାଗନର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଏହା ପୂର୍ବରୁ ମେଲବୋର୍ନରେ ଅନୁଷ୍ଠିତ ବକ୍ସିଂ ଡେ ଟେଷ୍ଟରେ ନ୍ୟୁଜିଲାଣ୍ଡ ୨୪୭ ରନରେ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ଦଳରେ ୫ଟି ପରିବର୍ତ୍ତନ କରିଥିଲା। ପ୍ରଥମ ଟେଷ୍ଟରେ ମଧ୍ୟ ନ୍ୟୁଜିଲାଣ୍ଡ ୨୯୬ ରନରେ ପରାସ୍ତ ହୋଇଥିଲା। ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହେବା ସହ ଆଗୁଆ ସିରିଜ ହାତେଇ ନେଇଛି। ତୃତୀୟ ମ୍ୟାଚ୍‌ରେ ବିଜୟୀ ହେଲେ ଅଷ୍ଟ୍ରେଲିଆ କ୍ଲିନ୍‌ ସୁଇପ୍‌ କରିବ।
ସଂକ୍ଷିପ୍ତ ସ୍କୋର:
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ- ୯୦ ଓଭରରେ ୨୮୩/୩

Share