Categories: ଖେଳ

ଲାରାଙ୍କ ବାସଭବନରେ ରାତ୍ରଭୋଜନ କଲା ଭାରତୀୟ ଦଳ

ତ୍ରିନିଦାଦ୍‌ ଆଣ୍ଡ୍‌ ଟବାଗୋ,୧୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ ଶେଷହେବା ପରେ ଆଗାମୀ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ କ୍ରିକେଟରମାନେ ବିରତି ନେଇଛନ୍ତି। ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ବାଲ, ରବୀନ୍ଦ୍ର ଜାଡେଜା, କେଦାର ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଭଳି ତାରକା ଖେଳାଳିମାନେ କିମ୍ବଦନ୍ତୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରାଙ୍କ ବାସଭବନରେ ରାତ୍ରଭୋଜନ କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶରେ ଟି୨୦ ଲିଗ୍‌ ଖେଳୁଥିବା ଡ୍ବେନ ବ୍ରାଭୋ ଭାରତୀୟ ଖେଳାଳିଙ୍କ ଫଟୋ ଇନ୍‌ଷ୍ଟାଗ୍ରାମରେ ଶେୟାରକରି ଏହାର ସୂଚନା ଦେଇଛନ୍ତି। ସେ ଏହାର କ୍ୟାପଶନରେ ଲେଖିଛନ୍ତି, ବାସଭବନରେ ରାତ୍ରଭୋଜନ ଆୟୋଜନ କରିବା ଲାଗି ଲାରାଙ୍କୁ ଧନ୍ୟବାଦ। ମୋ ସାଥୀ ଖେଳାଳି ଓ ଭାରତୀୟ ଭାଇଙ୍କ ସହ ସମୟ ବିତାଇବାକୁ ମୁଁ ଭଲ ପାଏ। ଏହି ଅବସରରେ ସୁନୀଲ ନାରିନ, କ୍ରିସ୍‌ ଗେଲ୍‌ ଓ କିରନ ପୋଲାର୍ଡ ମଧ୍ୟ ଉପସ୍ଥିତ ଥିଲେ। ଭାରତୀୟ ଦଳ ଆସନ୍ତା ୨୨ ତାରିଖରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଭିଯାନ ଆରମ୍ଭ କରିବ।

Share