କଣାସ, ୧୮।୭(ସ୍ବ.ପ୍ର.)-ଗ୍ରାମାଞ୍ଚଳର ଲୋକମାନଙ୍କୁ ସହଜରେ ବ୍ୟାଙ୍କସେବା ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଶାଖା ଖୋଲିବା ଉପରେ ଗୁରୁତ୍ୱ ଦିଆଯାଉଛି। ମାତ୍ର ଅନେକ ସମୟରେ ବ୍ୟାଙ୍କ ଗୁଡ଼ିକ ଲୋକମାନଙ୍କୁ ଉତ୍ତମ ସେବା ଯୋଗାଇବାରେ ବିଫଳ ହେଉଥିବା ଦେଖିବାକୁ ମିଳୁଛି। ପୁରୀ ଜିଲା କଣାସ ବ୍ଲକର କଣାସ ଠାରେ ଖୋଲାଯାଇଥିବା ଦୁଇଟି ଘରୋଇ ବ୍ୟାଙ୍କରେ ୧ମାସରୁ ଊର୍ଦ୍ଧ୍ୱ ସମୟ ଧରି ଲିଙ୍କ୍ ଫେଲ୍ ହେବାଯୋଗୁ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ଗତ ୧୭ ତାରିଖ ଦିନ ଅଳ୍ପ ସମୟ ବ୍ୟାଙ୍କ କାର୍ଯ୍ୟ ଚାଲିବା ପରେ ପୁଣି ଲିଙ୍କ ଅଚଳ ହୋଇପଡିଥିଲା। ସେହିପରି ୧୮ତାରିଖ ଦିନତମାମ ଲିଙ୍କ ଅଚଳ ହୋଇପଡିଥିବାରୁ ବ୍ୟାଙ୍କ କାର୍ଯ୍ୟ ସମ୍ପୁର୍ଣ୍ଣ ବନ୍ଦ ରହିଥିଲା। ଫଳରେ ବ୍ୟାଙ୍କ ଆସିଥିବା ଅନେକ ଉପଭୋକ୍ତା ଦିନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଅପେକ୍ଷା କରି ଶେଷରେ ନିରାଶ ହୋଇ ଫେରିଥିଲେ। ଲିଙ୍କ୍ ଫେଲ୍ ସମ୍ପର୍କରେ ଜାଣିବା ପାଇଁ କଣାସ ଠାରେ ଥିବା ଦୂରସଞ୍ଚାର କାର୍ଯ୍ୟାଳୟରେ ପଚାରିବାରୁ ବ୍ରହ୍ମଗିରି ଠାରେ ବ୍ରଡ୍ ବ୍ୟାଣ୍ଡ କେବୁଲୁ କଟିଯାଇଥିବାରୁ ଲିଙ୍କ୍ କଟିଯାଇଥିବା କହିଥିଲେ।