ଲିଙ୍ଗରାଜଙ୍କ ଜମିକୁ ନେଇ ହାଇକୋର୍ଟରେ ମାମଲା

କଟକ ଅଫିସ, ୨୦ା୭: ଭୁବନେଶ୍ୱରର ଭୀମପୁର ମୌଜାରେ ମହାପ୍ରଭୁ ଲିଙ୍ଗରାଜଙ୍କ ୨ ଏକର ୩୫୬ ଡେସିମିଲ ଜମିକୁ ଦିଲ୍ଲୀର ଏକ ଘରୋଇ ସଂସ୍ଥାକୁ ୯୯ ବର୍ଷ ପାଇଁ ଲିଜ୍‌ ଆକାରରେ ଟେକି ଦିଆଯାଇଛି। ସରକାରୀ ଧାର୍ଯ୍ୟ ମୂଲ୍ୟରୁ ଅଧା ଦାମ୍‌ରେ ଏହି ଜମିକୁ ଲିଜ୍‌ ଦିଆଯାଇଛି। ଏହାକୁ ବିରୋଧ କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଏହି ମାମଲା ରୁଜୁ କରିଛନ୍ତି। ପାଣିଗ୍ରାହୀ ହାଇକୋର୍ଟଙ୍କୁ ପିଟିଶନରେ ନିବେଦନ କରିଛନ୍ତି ଯେ, ଉକ୍ତ ବହୁମୂଲ୍ୟ ଜମିକୁ ବେଆଇନ ଭାବେ ଘରୋଇ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି। ତେଣୁ ଉକ୍ତ ଲିଜ୍‌କୁ ରଦ୍ଦ କରାଯିବା ସହିତ ଜମିକୁ ପୂର୍ବବତ ଲିଙ୍ଗରାଜଙ୍କ ଖାତାକୁ ଫେରାଇ ଆଣିବାକୁ ସେ ନିବେଦନ କରିଛନ୍ତି। ଏଥିପୂର୍ବରୁ ପାଣିଗ୍ରାହୀ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର କୌଣସି ସୁଫଳ ନ ମିଳିବାରୁ ସେ ବାଧ୍ୟ ହୋଇ ହାଇକୋର୍ଟକୁ ଆସିଥିବା କହିଛନ୍ତି। ଆବେଦନକାରୀ ପାଣିଗ୍ରାହୀଙ୍କ ପକ୍ଷରୁ ଆଡଭୋକେଟ ବାସୁଦେବ ବାରିକ ମାମଲା ପରିଚାଳନା କରୁଛନ୍ତି।

Share