Categories: ମେଟ୍ରୋ

ଲିଙ୍ଗରାଜ ମନ୍ଦିରକୁ ଯାଉଛି ପ୍ଲାଷ୍ଟିକ ସାମଗ୍ରୀ : ମନ୍ଦିର ପ୍ରଶାସନର ସଚେତନତା ଅଭାବ

ପୁରୁଣା ଭୁବନେଶ୍ୱର,୨୨ା୭(ଡି.ଏନ.ଏ.) : ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ଲାଷିକ, ପଲିଥିନରେ ଭୋଗ ନେବା କିମ୍ବା ଆନନ୍ଦବଜାରରେ ପ୍ରସାଦ ପାଇଁ ପଲିଥିନ ବ୍ୟବହାର ନ କରିବାକୁ କଡାକଡି କରାଯାଇଛି। ତେବେ ଠାକୁରଙ୍କ ବିଭିନ୍ନ ଯାନିଯାତ୍ରାରେ ସଚେତନତା ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ମନ୍ଦିର ପ୍ରଶାସନ, ଏଏସ୍‌ଆଇ ଅନ୍ୟ ବିଭାଗର ଉଦାସୀନତା ପାଇଁ ଏକାମ୍ରକ୍ଷେତ୍ରର ଅନେକ କୀର୍ତ୍ତିରାଜି ମୌଳିକତା ହରାଉଛି। ଶ୍ରାବଣ ମାସ ପ୍ରଥମ ସୋମବାର ଜଳ ଲାଗି ପାଇଁ ରାଜ୍ୟ ଓ ବାହାରୁ ଆସିଥିବା କାଉଡିଆମାନେ ରବିବାରଠାରୁ ବ୍ୟାରିକେଡରେ ଭିଡ଼ ଲଗାଇଛନ୍ତି। ମନ୍ଦିର ପ୍ରବେଶ ସମୟରେ ଏମାନଙ୍କୁ ଯାଞ୍ଚ କରାଯାଉ ନ ଥିବାରୁ ଅନାୟାସରେ ମନ୍ଦିର ଭିତରକୁ ପ୍ଲାଷ୍ଟିକ ପଦାର୍ଥ ଯାଉଛି। କେହି ଯଦି ଯାଞ୍ଚ କରେ ସେତେବେଳେ ଭକ୍ତ ଜଣକ ଠାକୁରଙ୍କୁ ଆଉ ଦର୍ଶନ କରି ନ ପାରି ମନ୍ଦିର ବାହାରେ କିମ୍ବା ଅନ୍ୟ ମନ୍ଦିରରେ ପାଣି ଢ଼ାଳିଥିବା ନଜିର ରହିଛି। ଅନ୍ୟପକ୍ଷେ ମନ୍ଦିର ସମ୍ମୁଖ, ବିନ୍ଦୁସାଗର ରାସ୍ତା ସବୁଠି ଦୋକାନୀମାନେ ପ୍ଲାଷ୍ଟିକ ଢାଳ ଖୋଲା ବଜାରରେ ବିକ୍ରି କରୁଛନ୍ତି। ଏମାନଙ୍କୁ ଲଗାମ ନାହିଁ। ବାହାର ଭକ୍ତ କିଣିବା ସହଜ ହୋଇଥାଏ। ତେଣୁ କଟକଣା ଅଭାବରୁ ଏହି ସମସ୍ୟା ଉପୁଜୁଛି ବୋଲି ବଲାଙ୍ଗୀରରୁ ଆସିଥିବା ଦରଖାସ୍ତ ସିହ୍ନା କହିଛନ୍ତି। ସେହିଭଳି ସୁନୀଲ ବାଗ ମଧ୍ୟ ଅନୁରୂପ କଥା କହିଛନ୍ତି। ଏଠାରେ ଆମକୁ କେହି ମନା କରୁନାହାନ୍ତି, ଦୋକାନରେ ବିକ୍ରି ଦେଖି ଆମେ ଢାଳ କିଣୁଛୁ। ମନ୍ଦିର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Share