ଲିଙ୍ଗରାଜ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାଡ଼ ଘଟଣା

ପୁରୁଣା ଭୁବନେଶ୍ୱର,୫ା୧୧(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କୁ ତାଲା ପକାଇ ଆକ୍ରମଣ କରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ଅପରପକ୍ଷେ ଅଭିଯୋଗପତ୍ରରେ ଅଭିଯୁକ୍ତ ୨ ସେବାୟତଙ୍କ ନାମରେ ହୋଇଥିବା ଅଭିଯୋଗକୁ ଅନୁଧ୍ୟାନ କରାଯାଇ କିଛି ଦଫା କୋହଳ ପାଇଁ ଦୁଇ ସେବାୟତ ନିଯୋଗ ପକ୍ଷରୁ ଗୁହାରି କରାଯାଇଛି। ଏହାପରେ କମିଶନରେଟ ପୋଲିସର ଜୋନ-୨ ଏସିପି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରିବାକୁ ଡିସିପି ଅନୁପ ସାହୁ ନିର୍ଦ୍ଦେଶ ଦେଇଛନ୍ତି।
ଜଣେ ସରକାରୀ କର୍ମଚାରୀ ବା ଅଧିକାରୀ କାର୍ଯ୍ୟ ସମ୍ପାଦନବେଳେ କେହିବ୍ୟକ୍ତି ବିଶେଷ ହୁଅନ୍ତୁ କିମ୍ବା ଗୋଷ୍ଠୀ ବିନା ଅନୁମତିରେ ତାଲା ପକାଇବା, ଗାଳିଗୁଲଜ କରିବା ଭଳି କାର୍ଯ୍ୟକରି ବିଶୃଙ୍ଖଳା ସୃଷ୍ଟି କରିବା ଆଇନତଃ ଦଣ୍ଡନୀୟ। ତେଣୁ ୨ ନିଯୋଗ ପକ୍ଷରୁ ଏଭଳି କୌଣସି ଅନୁମତି ନେଇ ଧାରଣା ଦେବା ଓ ତାଲା ପକେଇବା କାର୍ଯ୍ୟ କରାଯାଇ ନ ଥିବା ପୋଲିସ କହିଛି। ସିସିଟିଭି ଯାଞ୍ଚ ଏବଂ ପାରିପାର୍ଶ୍ୱିକ ଅବସ୍ଥାକୁ ଦେଖି ତଦନ୍ତ ଅଧିକାରୀ କିଛି ଦଫା କମାଇବା କିମ୍ବା ଅନୁରୂପ ଭାବେ ଅନ୍ୟକିଛି ଦଫା ସଂଲଗ୍ନ କରିବାର ଆଇନ ରହିଛି।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୩୦ରେ ୨ ନିଯୋଗ ସମ୍ପାଦକଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ସେବାୟତ ଉକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସ୍ଥାନରେ ଜଣେ ଓଏଏସ୍‌ କ୍ୟାଡରର ଅଧିକାରୀ ନିଯୁକ୍ତି ଦାବି ନେଇ ପ୍ରତିବାଦ କରିଥିଲେ। ଏହି ସମୟରେ ଆକ୍ରମଣ ହୋଇଥିବା ଅଭିଯୋଗ କରାଯାଇଛି। ଏ ନେଇ ହାଇକୋର୍ଟ ସିନିୟର ଆଇନଜୀବୀ ଏସ.କେ. ଭଞ୍ଜଦେବ କୁହନ୍ତି, ଏପରି ସମ୍ବେଦନଶୀଳ ଘଟଣାରେ କିଛି ଦଫା କୋହଳ କରିବାର କ୍ଷମତା ପୋଲିସର ରହିଛି। ମାତ୍ର ସମସ୍ତ ବିଷୟ ଅନୁସନ୍ଧାନ କରାଯାଇ ଅଭିଯୁକ୍ତଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ।

Share