ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଜାରି: କିଛି ଅବୈଧ ନିର୍ମାଣ ଛାଡ଼ିବାକୁ ନେଇ ଉତ୍ତେଜନା

ପୁରୁଣା ଭୁବନେଶ୍ୱର,୧୨।୧୨(ଡି.ଏନ୍‌.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍‌ସି, ବିଡିଏ, ମନ୍ଦିର ପ୍ରଶାସନର ମିଳିତ ଟିମ୍‌ ଗୁରୁବାର ପୂର୍ବାହ୍ନ ୧୦ଟାରେ ମନ୍ଦିର ଦକ୍ଷିଣ ଦ୍ୱାରପଟୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ଥିବା ୬ଟି ଦଳିତ ପରିବାରର ଘରଗୁଡ଼ିକ ଭଙ୍ଗାଯାଇଛି। ହେଲେ ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପର୍କୀୟଙ୍କ ଏକ କୋଠା ଏବଂ ଜଣେ ବ୍ୟବସାୟୀଙ୍କ ଅବୈଧ ନିର୍ମାଣକୁ ଟିମ୍‌ ଛାଡ଼ି ଦେଇଥିବାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ପ୍ରକାଶଯୋଗ୍ୟ, ତିବ୍ର ବିରୋଧ ପରେ ଏହି ଜବରଦଖଲ ପ୍ରକ୍ରିୟାକୁ ମଙ୍ଗଳବାର ବନ୍ଦ କରାଯାଇଥିଲା। ବୁଧବାର ପୂର୍ବାହ୍ନରେ ଏନେଇ ବିଏମ୍‌ସି କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଠାଦୋକାନୀମାନଙ୍କୁ ଥଇଥାନ କରାଯିବ। ଆସନ୍ତା ୩ ଦିନ ମଧ୍ୟରେ ସରକାର କରୁଥିବା ମାଷ୍ଟରପ୍ଲାନକୁ ସାର୍ବଜନୀନ କରାଯିବ ବୋଲଇ ପ୍ରତିଶ୍ରୁତି ଦେବା ପରେ ପୁଣି ଥରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଅପରାହ୍ନରେ ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ମୋଟ ୮ ବେଆଇନ ନିର୍ମାଣ ଭଙ୍ଗାଯାଇଥିଲା।

Share