ଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ହଟିବ ଜବରଦଖଲ: ଆଜି ସର୍ଭେ, ଖୁବ୍‌ଶୀଘ୍ର ଉଚ୍ଛେଦ

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଶ୍ରୀମନ୍ଦିର ଭଳି ରାଜ୍ୟର ଅନ୍ୟତମ ଐତିହ୍ୟ ତଥା ପ୍ରମୁଖ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପାର୍ଶ୍ୱରୁ ଜବରଦଖଲ ହଟିବ। ସେହିଭଳି ବିନ୍ଦୁ ସାଗର ପାର୍ଶ୍ୱରେ ଥିବା ସରକାରୀ ତଥା ମନ୍ଦିର ଜାଗାକୁ ଜବରଦଖଲମୁକ୍ତ କରାଯିବ। ଏଥିପାଇଁ ମନ୍ଦିର ପ୍ରଶାସନ ସହ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଏବେ ଅଣ୍ଟା ଭିଡ଼ିଛି। ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ସହ ଐତିହ୍ୟର ସୁରକ୍ଷା ତଥା ସହରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ପ୍ରୟାସ ଆରମ୍ଭ ହୋଇଛି। ମଙ୍ଗଳବାର ଏକ ମିଳିତ ଟିମ୍‌ ସର୍ଭେ କରିବ। ଏହି ଟିମ୍‌ରେ ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ବିଭାଗ, ରାସ୍ତା ଓ କୋଠାବାଡି ବିଭାଗ ଏବଂ ମନ୍ଦିର ପ୍ରଶାସନର ଅଧିକାରୀମାନେ ରହିବେ। ମନ୍ଦିରର କେଉଁ ପାଶର୍‌ବରେ କେତେ ସରକାରୀ ଓ ଠାକୁରଙ୍କ ଜମି ରହିଛି, କେଉଁଠି ଜବରଦଖଲ କରାଯାଇଛି ତାହାକୁ ପ୍ରଥମେ ଚିହ୍ନଟ କରାଯିବ। ମନ୍ଦିର ପ୍ରଶାସନ ନକ୍ସା ଦେଖି କିଛି ସ୍ଥାନ ଚିହ୍ନଟ ହୋଇଥିବାବେଳେ ସର୍ଭେ ପରେ ଜବରଦଖଲ ଉଚ୍ଛେଦ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ।
ଉଲ୍ଲେଖଯୋଗ୍ୟ, ମନ୍ଦିର ପାର୍ଶ୍ୱରେ ଥିବା ବହୁ ସରକାରୀ ତଥା ମନ୍ଦିର ଜମିକୁ ଉଠାଦୋକାନୀଙ୍କଠାରୁ ଆରମ୍ଭକରି ସ୍ଥାନୀୟ ଲୋକ ଓ ବ୍ୟବସାୟୀ ଜବରଦଖଲ କରିଛନ୍ତି। ପ୍ରତିଦିନ ଏଠାରେ ଟ୍ରାଫିକ ଜାମ୍‌ ପରିସ୍ଥିତି ଲାଗୁ ରହୁଛି। ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏଠାରେ ପୁରୀ ପରି ବଡ଼ ଉଚ୍ଛେଦ କରାଯିବ ନାହିଁ। ଏହି ସର୍ଭେରେ ଟିମ୍‌ ସାମିଲ ରହିବ। ଜଣେ ଅମିନ, ଜଣେ ଆର୍‌ଆଇ ସହ ପ୍ରଶାସନିକ ଅଧିକାରୀମାନେ ସର୍ଭେ କରିବେ। ବିଡିଏ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ହରିଶ୍ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଉଚ୍ଛେଦ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ସୂଚନା ମିଳିଛି।

Share