Advertisement
Categories: ଗଞ୍ଜାମ

ଲିଚୁ ଉତ୍ପାଦନ ରେ ପାଣି ସାଜିଛି ଅନ୍ତରାୟ

ଫୁଲବାଣୀ ଅଫିସ, ୧୨ା୫- ଏବେ ଖରାଦିନ। ଖରା ଦିନିଆ ଫଳ ଲିଚୁର ଚାହିଦା ବହୁତ। ବିଶେଷ କରି କଟକ, ଭୁବନେଶ୍ୱରରେ ଏହାର ଚାହିଦା ଅଧିକ। ଏହାକୁ ଲକ୍ଷକରି କନ୍ଧମାଳ ଜିଲାରେ କେତେଜଣ ଚାଷୀ ଲିଚୁ ଚାଷକୁ ଆପଣେଇ ନେଇଛନ୍ତି। ଏଥିରୁ ବେଶ୍‌ ଭଲ ରୋଜଗାର ହେବାସହ ଚାଷୀ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି। ଏପରିକି ବର୍ଷକୁ ଲିଚୁ ଚାଷରୁ ଲକ୍ଷାଧିକ ଟଙ୍କାର ବ୍ୟବସାୟ ହେଉଛି। ମାତ୍ର ପାଣିର ଅଭାବ କେତେକ ସ୍ଥଳରେ ଅନ୍ତରାୟ ସାଜୁଛି। ଲିଚୁ ଚାଷ କ୍ଷେତକୁ ପାଣିର ସୁବିଧା ନାହିଁ। ପାଣି ବ୍ୟବସ୍ଥା ହେଲେ ଅଧିକ ଉତ୍ପାଦନ ହୋଇପାରନ୍ତା। ସେହି କ୍ରମରେ ବଜାର ସୁବିଧା ହେଲେ ମଧ୍ୟ ଅଧିକରୁ ଅଧିକ ଚାଷୀ ଏଥିପ୍ରତି ଆକୃଷ୍ଟ ହେବେ। କନ୍ଧମାଳ ଜିଲା ରାଇକିଆ ବ୍ଲକ ରାଇକିଆ ପଞ୍ଚାୟତ ପାଜିମାହାର ରବୀନ୍ଦ୍ର ପ୍ରଧାନ। ୧୨ ବର୍ଷ ହେଲା ସେ ଲିଚୁ ଏବଂ ଆମ୍ବ ଚାଷ କରି ଆସୁଛନ୍ତି। ଗ୍ରାମଠାରୁ କିଛି ଦୂର ସରାପୁଡିରେ ପ୍ରାୟ ୨ ଏକର ସ୍ଥାନରେ ଲିଚୁ ଗଛ ଲଗାଇଛନ୍ତି। ବର୍ଷକୁ ୨ ମାସ ମେ ଏବଂ ଜୁନରେ ଲିଚୁ ବିକ୍ରି କରୁଛନ୍ତି। ପାଖାପାଖି କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଲିଚୁ ବିକ୍ରି କରିଥାନ୍ତି। ଯେଉଁଥିରୁ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ସେ ରୋଜଗାର କରନ୍ତି। ଏନେଇ ସେ କୁହନ୍ତି, ମୁଁ ଏବଂ ମୋ ସ୍ତ୍ରୀ ମିଟିରି ଲିଚୁ ସଂଗ୍ରହ କରି ବିକ୍ରି କରୁଛୁ। କଟକ, ଭୁବନେଶ୍ୱରରୁ ବ୍ୟବସାୟୀମାନେ ଆସି ଲିଚୁ ନେଉଛନ୍ତି। ଯାହା ବଳୁଛି ଆମ ବଜାରରେ ବିକୁଛୁ। ଏବେ କେଜି ୧୫୦ରୁ ୧୬୦ ଟଙ୍କାରେ ବିକ୍ରି କରୁଛୁ। ଆମ୍ବରୁ ମଧ୍ୟ ବର୍ଷକୁ ୧୦ରୁ ୧୫ ହଜାର ଟଙ୍କା ମିଳୁଛି। ଜିଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଉତ୍ସାହିତ ହୋଇ ମଁୁ ଏହି ଚାଷ କରୁଛି। ଏଥିପାଇଁ ମୋତେ ୩ ବର୍ଷରେ ୧୧ ହଜାର ଟଙ୍କାର ସହାୟତା ମିଳିଥିଲା। ଚାଷରୁ ଭଲ ରୋଜଗାର ହେଉଛି। ମାତ୍ର ପାଣି ସମସ୍ୟା ଯୋଗୁ ଫଳ ଅଧିକ ହେଉନାହିଁ। ୧ କିମି ଦୂରରୁ ପାଣି ବୋହି ଆଣି ଗଛ ମୂଳେ ଦେବାକୁ ପଡୁଛି। ପାଣିର ବ୍ୟବସ୍ଥା ହେଲେ ଅଧିକ ଭଲ ଫଳ ହୁଅନ୍ତା। ସରକାରଙ୍କ କୌଣସି ଯୋଜନାରେ ବୋରିଂ ବ୍ୟବସ୍ଥା କରାଗଲେ ଅଧିକ ଉପକୃତ ହୁଅନ୍ତି ବୋଲି ରବୀନ୍ଦ୍ର କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel