Categories: ଜାତୀୟ

ଲିଚୁ ଯୋଗୁ ହୋଇନି ମସ୍ତିଷ୍କ ଜ୍ୱର: ଗବେଷକଙ୍କ ମତ

ନୂଆଦିଲ୍ଲୀ,୨୫।୬: ବିହାରରେ ମସ୍ତିଷ୍କ ଜ୍ୱର ଶିଶୁ ମୃତ୍ୟୁ ଘଟଣା ପାଇଁ କେତେକ ଲିଚୁକୁ ଦାୟୀ କରିଥିଲେ। ତେବେ ଏଥି ପାଇଁ ଲିଚୁର କୌଣସି ସମ୍ପର୍କ ନାହିଁ ବୋଲି କେତେକ ଗବେଷକଙ୍କ ମତ ଦେଇଛନ୍ତି। ଏନେଇ ନ୍ୟାସନାଲ୍‌ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ଡ. ବିଶାଳନାଥ ସୂଚନା ଦେଇଛନ୍ତି ଯେ, ଲିଚୁ ଏକ ଅମ୍ଳୀୟ ଫଳ। ତେଣୁ ପେଟରେ କାଳେ ଏସିଡିଟି ସମସ୍ୟା ହେବ ସେଥିପାଇଁ ଏହାକୁ ଖାଲିପେଟରେ ଖାଇବାକୁ ବାରଣ କରାଯାଇଥାଏ। ମାତ୍ର ମସ୍ତିଷ୍କ ଜ୍ୱର ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ କହିଛନ୍ତି। କେହି ଏନେଇ ହୁଏତ ଗୁଜବ ସୃଷ୍ଟି କରିଥାଇପାରେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଅନ୍ତର୍ଜାତୀୟ ବଜାରରେ ଭାରତ ଲିଚୁ ରପ୍ତାନୀରେ ପ୍ରଥମ ସ୍ଥାନରେ ରହିଛି। ଭାରତ ପଛକୁ ଚାଇନାର ସ୍ଥାନ ଦ୍ୱିତୀୟରେ ରହିଛି। ଭାରତରେ ଉତ୍ପାଦିତ ହେଉଥିବା ଲିଚୁର ମୋଟ ୬୦ ପ୍ରତିଶତ ବିହାରରେ ହିଁ ହୋଇଥାଏ। ଏପରିସ୍ଥଳେ ହୁଏତ ଯୋଜନାବଦ୍ଧ ଭାବେ ଲିଚୁ କାରବାରକୁ କ୍ଷତି ପହଞ୍ଚାଇବା ପାଇଁ କରାଯାଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ରାଜ୍ୟ କୃଷି ମନ୍ତ୍ରୀ ପ୍ରେମ୍‌ କୁମାର ଏନେଇ ସନ୍ଦେହ ପ୍ରକାଶ କରିଥିଲେ। ପରେ ଲିଚୁ ନମୂନା ଯାଞ୍ଚ୍‌ ଲାଗି ମଧ୍ୟ ପଠାଯାଇଥିଲା।

Share