ଲିଟିଲ୍‌ ଷ୍ଟାର ଗ୍ରୁପ୍‌ ପକ୍ଷରୁ ଶିକ୍ଷା ବିକାଶ ଯାତ୍ରା

ଭୁବନେଶ୍ୱର,୧୧ା୧୨:ପିଲାମାନଙ୍କୁ ବିଦ୍ୟାଳୟ ଚାରିକାନ୍ଥ ଭିତରୁ ବାହାର କରି ବାହାର ଦୁନିଆ ବିଷୟରେ ଜ୍ଞାନ ପ୍ରଦାନ କରିବା ଲକ୍ଷ୍ୟରେ ପୁରୀ ଜିଲା ନିମାପଡ଼ାର ଶିଶୁ ବିକାଶ ଅନୁଷ୍ଠାନ ଲିଟିଲ୍‌ ଷ୍ଟାର ଗ୍ରୁପ୍‌ ପକ୍ଷରୁ ମଙ୍ଗଳବାର ୧୫ତମ ଶିକ୍ଷା ବିକାଶ ଯାତ୍ରା ଅନୁଷ୍ଠିତ ହୋଇଛି। ଗ୍ରୁପ୍‌ର ସମ୍ପାଦକ ସୁମନ୍ତ ମହାରଣାଙ୍କ ନେତୃତ୍ୱରେ ଏକ ଶିଶୁ ପ୍ରତିନିଧି ଦଳ ଅପରାହ୍ନରେ ଧରିତ୍ରୀ ମୁଖ୍ୟ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ଧରିତ୍ରୀ ସମ୍ପାଦକ ତଥାଗତ ସତପଥୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ପିଲାମାନଙ୍କ ସହ ଭାବବିନିମୟ କରିଥିଲେ। ଏହି ଅବସରରେ ପିଲାମାନେ ଛାପା ଗଣମାଧ୍ୟମ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରି ବୁଝିଥିଲେ। ପୂର୍ବାହ୍ନରେ ଏହି ଶିଶୁ ପ୍ରତିନିଧି ଦଳ ଭୁବନେଶ୍ୱର ସୂର୍ଯ୍ୟନଗରଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଠାରେ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା, ଟ୍ବିଙ୍କଲ୍‌, ନଟିଆ କମେଡିଆନ ସ୍ମୃତିରଞ୍ଜନ ମହାନ୍ତି ପ୍ରମୁଖ ପିଲାମାନଙ୍କ ସହ ଭାବବିନିମୟ କରିବା ସହ ପିଲାବେଳର ସ୍ମୃତି ସାଉଁଟିଥିଲେ। ପରେ ପିଲାମାନେ ଆଦିବାସୀ ସଂଗ୍ରହାଳୟ, ଜୈବ ପ୍ରାକୃତିକ ବିଜ୍ଞାନ କେନ୍ଦ୍ର, କଳିଙ୍ଗ ଟିଭି ଆଦି ବିଭିନ୍ନ ଅନୁଷ୍ଠାନ ବୁଲି ସେଠାରୁ ଜ୍ଞାନ ଆହରଣ କରିଥିଲେ। ଲିଟିଲ୍‌ ଷ୍ଟାର ଗ୍ରୁପ୍‌ ପକ୍ଷରୁ ସୁବ୍ରତ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ରାଉତ, ଗୌରୀପ୍ରିୟା ନନ୍ଦ, ଦୀପକ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share