Categories: ଜାତୀୟ

ଲିପଷ୍ଟିକ ଲଗାଇଥିଲେ, ବବକଟ ଚୁଟି ରଖିଥିଲେ ମିଳିବ ମହିଳା ସଂରକ୍ଷଣ ବିଲ୍‌ର ଲାଭ: ଆରଜେଡି ନେତା ସିଦ୍ଦିକିଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବରିଷ୍ଠ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକିଙ୍କ ବିବୃତ୍ତି ପରେ ଜାତୀୟ ରାଜନୀତିରେ ବିବାଦ ଦେଖାଦେଇଛି। ଲିପଷ୍ଟିକ ଲଗାଇଥିବା ଓ ବବକଟ ଚୁଟି ରଖିଥିଲେ ମହିଳାଙ୍କୁ ସଂରକ୍ଷଣ ମିଳିପାରିବ ବୋଲି ସିଦ୍ଦିକି କହିଛନ୍ତି। ଏହି ବିବୃତ୍ତିକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି।

ସିଦ୍ଦିକିଙ୍କ ବିବୃତ୍ତି ପରେ ରାଜନୈତିକ ବୟାନବାଜି ତୀବ୍ର ହେବାରେ ଲାଗିଛି। ବିରୋଧୀ ଦଳ ସିଦ୍ଦିକିଙ୍କୁ ବିରୋଧ କରୁଥିବା ବେଳେ ସହଯୋଗୀମାନେ ମଧ୍ୟ ଏହାକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ମୁଜାଫରପୁରରେ ଦଳର ପଛୁଆ ବର୍ଗ ସାମାଜିକ ସଚେତନତା ସମ୍ମିଳନୀରେ ସିଦ୍ଦିକି ମହିଳା ସଂରକ୍ଷଣକୁ ନେଇ ଏହି ବିବାଦୀୟ ବିବୃତ୍ତି ଦେଇଛନ୍ତି।

ଏହି ସମୟରେ ସିଦ୍ଦିକି କହିଥିଲେ, ଲିପଷ୍ଟିକ, ପାଉଡର ଏବଂ ବବକେଟ ଥିବା ମହିଳାମାନେ ମହିଳା ସଂରକ୍ଷଣର ବିଲ୍‌ର ଲାଭ ଉଠାଇ ପାରିବେ। ପଛୁଆ ସମ୍ପ୍ରଦାୟର ମହିଳାମାନେ ଏହି ସଂରକ୍ଷଣରୁ କୌଣସି ଲାଭ ପାଇବେ ନାହିଁ। ବିଲ୍‌ରେ ପଛୁଆ ଏବଂ ଅତ୍ୟଧିକ ପଛୁଆ ଶ୍ରେଣୀର ମହିଳାମାନଙ୍କୁ ସଂରକ୍ଷଣ ଦେବାକୁ ସିଦ୍ଦିକି ଦାବି କରିଛନ୍ତି।

ସିଦ୍ଦିକିଙ୍କ ବିବୃତ୍ତି ପରେ ସହଯୋଗୀ କଂଗ୍ରେସ ଏବଂ ଜେଡିୟୁ ଓ ବିରୋଧୀ ଭାଜପା ଏହାକୁ ବିରୋଧ କରିଛନ୍ତି। କିନ୍ତୁ ଆରଜେଡି ମୁଖପାତ୍ର ଏଜାଜ ଅହମ୍ମଦ, ସିଦ୍ଦିକିଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତ।

Share