ବାରାଣସୀ,୯।୧: ଏବେ ରୋଡ୍ ସାଇଡ୍ ରୋମିଓଙ୍କୁ ପାନେ ମିଳିବ। ବାରାଣସୀର ଜଣେ ଯୁବକ ମହିଳାଙ୍କ ସୁରକ୍ଷା ପାଇଁ ଏକ ନୂଆ ପ୍ରକାରର ଲିପ୍ ଷ୍ଟିକ୍ ତିଆରି କରିଛନ୍ତି। ଏହାର ନାମ ସ୍ମାର୍ଟ ଆଣ୍ଟି ଟିଜିଂ ଲିପ୍ଷ୍ଟିକ୍ ଗନ୍ ରଖାଯାଇଛି। ସ୍ଥାନୀୟ ଅଶୋକା ଇନଷ୍ଟିଚ୍ୟୁଟରେ ପାଠପଢୁଥିବା ଶ୍ୟାମ ଚୌରାସିଆ ନାମକ ଜଣେ ଯୁବକ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏହାକୁ ତିଆରି କରିଛନ୍ତି। ଏଥିରୁ ଗୁଳି ଫୁଟିଲେ ଏହାର ଶବ୍ଦ ଆଖପାଖର ଏକ କିଲୋମିଟର ପର୍ଯ୍ୟନ୍ତ ଶୁଭିବ। ଫଳରେ ଆଖପାଖରେ ଥିବା ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏହା ସକ୍ଷମ ହେବ ବୋଲି ଶ୍ୟାମ କହିଛନ୍ତି। ଏହାଦ୍ୱାରା ଏକୁଟିଆ ଯୁବତୀ ଏବଂ ମହିଳାଙ୍କୁ ହଇରାଣ କରୁଥିବା ରୋଡ୍ ସାଇଡ୍ ରୋମିଓ ସାବାଡ୍ ହୋଇପାରିବେ। ସୂଚନାଯୋଗ୍ୟ, ଏହା ପୂର୍ବରୁ ଶ୍ୟାମ ଏଭଳି ବହୁ ଉପଯୋଗୀ ଉପକରଣ ତିଆରି କରିସାରିଛନ୍ତି।