Categories: ମେଟ୍ରୋ

ଲିଫ୍ଟ ବେସ୍‌ରେ ନିଆଁ, ଦୌଡ଼ିଲେ କର୍ମଚାରୀ

ଭୁବନେଶ୍ୱର, ୨୭।୫ (ବ୍ୟୁରୋ): ମଞ୍ଚେଶ୍ୱର ଶିଳ୍ପାଞ୍ଚଳସ୍ଥିତ ଏକ ଖବରକାଗଜ ସଂସ୍ଥା କାର୍ଯ୍ୟାଳୟର ଲିଫ୍ଟ ବେସ୍‌ରେ ରବିବାର ନିଆଁ ଲାଗିଯାଇଥିଲା। ଫଳରେ ଷଷ୍ଠ ମହଲା ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଇଥିଲା। ଏହାଦେଖି କାର୍ଯ୍ୟାଳୟରେ ଆତଙ୍କ ଖେଳିଯାଇଥିଲା। କର୍ମଚାରୀମାନେ ଭୟଭୀତ ହୋଇପଡିବା ସହ ଚିତ୍କାର କରି ଶିଡିରେ ତଳକୁ ଦୌଡ଼ିଥିଲେ। ଖବର ପାଇ କଳ୍ପନା ଦମକଳ କେନ୍ଦ୍ରରୁ ଅଗ୍ନିଶମବାହିନୀ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ବଡ଼ ଧରଣର ବିପଦ ଆଶଙ୍କାକୁ ଏଡାଇ ଦିଆଯାଇଥିବା ଜଣାପଡ଼ିଛି।
ସୂଚନା ମୁତବାକ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଶିଳ୍ପାଞ୍ଚଳରେ ଏକ ଦୈନିକ ଓଡ଼ିଆ ଖବରକାଗଜ କାର୍ଯ୍ୟାଳୟ ରହିଛି। ଅପରାହ୍ନ ପ୍ରାୟ ସାଢେ ୧ଟା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ପ୍ରଥମ ମହଲାରେ ଥିବା ଲିଫ୍ଟ ବେସ୍‌ର ଫାଙ୍କା ସ୍ଥାନରେ ଅଦରକାରୀ କାଗଜ ଓ ଅଳିଆ ଜମାହୋଇ ରହିଥିଲା। ହଠାତ୍‌ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। କେହି ସିଗାରେଟ କିମ୍ବା ବିଡି ଟାଣିସାରିବା ପରେ ସେଠାରେ ଫିଙ୍ଗି ଦେବାରୁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି।

Share