Categories: ଖେଳ

ଲିଭରପୁଲକୁ ହରାଇ ଏଫ୍‌ଏ କପ୍‌ କ୍ୱାର୍ଟରରେ ଚେଲସି

ଲଣ୍ଡନ,୪ା୩- ନିକଟରେ ଚଳିତ ସିଜନର ପ୍ରିମିୟର ଲିଗ୍‌ରେ ପ୍ରଥମ ଥର ପରାସ୍ତ ହୋଇଥିବା ଲିଭରପୁଲକୁ ପୁଣି ପରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଚେଲସି ଦଳ ୨-୦ ଗୋଲରେ ଲିଭରପୁଲକୁ ହରାଇ ଏଫ୍‌ଏ କପ୍‌ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଲିଭରପୁଲ ଗୋଲକିପର ଆଡ୍ରିଆନଙ୍କ ତ୍ରୁଟିର ଫାଇଦା ଉଠାଇ ଓ୍ବିଲିଆନ ପ୍ରଥମ ଗୋଲ ଦେଇଥିଲେ। ପୂର୍ବତନ ଏଭରଟନ ଖେଳାଳି ରସ ବାର୍କଲେ (୬୪ତମ ମିନିଟ୍‌) ଗୋଲ ଦେଇ ଦଳର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ। ଗତ ପ୍ରିମିୟର ଲିଗ୍‌ ମ୍ୟାଚ୍‌ରେ ପରାଜୟ ଯୋଗୁ ଲିଭରପୁଲ ଦଳରେ କୋଚ୍‌ ଜୁର୍ଗେନ କ୍ଲୋପ ୭ ପରିବର୍ତ୍ତନ କରିଥିଲେ। ଦଳର ଷ୍ଟାର ସାଡିଓ ମାନେ କିଛି ସୁଯୋଗ ହାତଛଡ଼ା କରିଥିଲେ। ଦଳକୁ ପ୍ରାୟ ୨ ମାସ ପରେ ଫେରୁଥିବା ଚେଲସି ଗୋଲକିପର କେପ ଆରିଜାବାଲାଗ ମ୍ୟାଚ୍‌ରେ ୩ଟି ଚମତ୍କାର ସେଭ କରିଥିଲେ। ଚଳିତ ସିଜନରେ ପ୍ରାୟତଃ ମ୍ୟାଚ୍‌ରେ ଏକତରଫା ବିଜୟ ହାସଲ କରିଥିବା ଲିଭରପୁଲ ତା’ର ଅନ୍ତିମ ୪ ମ୍ୟାଚ୍‌ରେ ୩ୟ ପରାଜୟ ବରଣ କରିଛି। ଦଳ ଚାମ୍ପିୟନ୍ସ ଲିଗ୍‌ର ପ୍ରିକ୍ୱାର୍ଟର ଫାଇନାଲର ପ୍ରଥମ ଲେଗ୍‌ରେ ଆଟଲେଟିକୋ ମାଡ୍ରିଡ୍‌ଠାରୁ ପରାସ୍ତ ହୋଇଥିଲା।

Share