ଲିଭର : କିଛି କଥା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଲା ଲିଭର (ଯକୃତ)। ଏହାର କାର୍ଯ୍ୟଦକ୍ଷତା ପ୍ରତିହତ ହେଲେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଲିଭର ସମ୍ପର୍କରେ ଜାଣନ୍ତୁ କିଛି କଥା…
-ଲିଭରରୁ ନିର୍ଗତ ହେଉଥିବା ପିତ୍ତ ଶରୀରରେ ବୃଦ୍ଧିପାଉଥିବା ଫ୍ୟାଟ୍‌ ପରିମାଣକୁ ନିୟନ୍ତ୍ରିତ ରଖିଥାଏ।
-ଲିଭରର ଲମ୍ବ ୬.୫ ଇଞ୍ଚ, ଚଉଡ଼ା ୮ ଇଞ୍ଚ ଏବଂ ଗୋଲେଇ ୪.୫ ଇଞ୍ଚ। ଏହାର ଓଜନ ୩.୫ ପାଉଣ୍ଡ।
-ଲିଭରର କାର୍ଯ୍ୟକୁ ତିନିଭାଗରେ ବିଭକ୍ତ କରାଯାଇଛି। ଏହାର ପ୍ରଥମ ଜୋନ୍‌ରେ ରକ୍ତ ପ୍ରବେଶ କରିବା ପରେ ଦ୍ୱିତୀୟ ଜୋନ୍‌କୁ ଯାଇଥାଏ। ତା’ପରେ ତୃତୀୟ ତଥା ଶେଷ ଜୋନ୍‌ରେ ରକ୍ତ ବିଶୁଦ୍ଧ ହୋଇ ଶରୀରରେ ପ୍ରବାହିତ ହୋଇଥାଏ। ତେଣୁ ଲିଭର ସୁସ୍ଥ ରହିବା ନିହାତି ଦରକାର।
-ଆମେ ଖାଉଥିବା ଖାଦ୍ୟରୁ ଲିଭର କାର୍ବୋହାଇଡ୍ରେଟ୍‌ ଏବଂ ଭିଟାମିନ୍‌ ସଂଗ୍ରହକରି ମସ୍ତିଷ୍କକୁ ଯୋଗାଇଥାଏ। ଏହାଦ୍ୱାରା ମସ୍ତିଷ୍କ ଠିକ୍‌ ଭାବରେ କାର୍ଯ୍ୟ କରିଥାଏ।
-ଲିଭର ଆମ ଶରୀର ଭିତରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାମ କରିଥାଏ। ଶରୀର ଭିତରେ ନିର୍ମିତ ହେଉଥିବା ବିଷାକ୍ତ ତତ୍ତ୍ୱକୁ ଏହା ନଷ୍ଟ କରିଦିଏ।
-ଲିଭର ଭିତରେ ପ୍ରସ୍ତୁତ ହେଉଥିବା ପ୍ରୋଟିନ୍‌ ରକ୍ତକୁ ପରିଷ୍କାର ରଖେ।
-ଆମ ଶରୀରରେ ନଷ୍ଟହୋଇପାରୁ ନ ଥିବା ଟକ୍ସିନ୍‌ଗୁଡ଼ିକ ଲିଭର ଭିତରେ ଗଚ୍ଛିତ ହୋଇ ରହିଥାଏ।
-ଯଦି ଲିଭରଜନିତ ସମସ୍ୟା ଦେଖାଯାଏ ତେବେ ଅଧିକାଂଶ ସମୟ ମୁଣ୍ଡ ବିନ୍ଧିଥାଏ। ବାନ୍ତି ଲାଗେ, ବେଳେବେଳେ ବାନ୍ତି ହୋଇଥାଏ। ଚର୍ମ ହଳଦିଆ ଦେଖାଯାଏ ଏବଂ ଜଣ୍ଡିସ୍‌ର ଲକ୍ଷଣ ଦେଖାଦେଇଥାଏ। ଲିଭର ସମସ୍ୟା ଦେଖାଦେବା ମାତ୍ରେ ଅଭିଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।