ଲିଭିଲା ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ : ବଢିଲା ବନ୍ୟା ଆଶଙ୍କା

ସିଡ୍‌ନୀ,୧୮।୧: ଗତ ଗୁରୁବାର ପୂର୍ବ ଅଷ୍ଟ୍ରେଲିଆରେ ହୋଇଥିବା ବର୍ଷାରେ ସେଠାକାର ଜଙ୍ଗଲରେ ଲାଗିଥିବା ନିଆଁ ଅନେକାଂଶରେ ଲିଭିଯାଇଛି। ହେଲେ ଏହା ଫଳରେ ବନ୍ୟା ଆଶଙ୍କା ଦେଖାଯାଇଛି। ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଆସିଥିବା ବନ୍ୟାରେ ଜାତୀୟ ରାଜପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ସୂଚନା ମିଳିଛି। ଗୋଲ୍ଡ କୋଷ୍ଟରେ ପ୍ରାୟ ୩୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଇଷ୍ଟ କୋଷ୍ଟରେ ଥିବା ରେପଟାଇଲ ପାର୍କରେ ବନ୍ୟାଜଳ ମାଡିଯାଇଛି। ତେବେ ଜଙ୍ଗଲ ନିଆଁରେ ବନ୍ୟଜନ୍ତୁ କୋଆଲାଙ୍କ ବହୁ ପରିମାଣରେ ମୃତ୍ୟୁ ହୋଇଥିବା ବେଳେ ଏବେ ବନ୍ୟା ଯୋଗୁ ମଧ୍ୟ ଏମାନେ ପ୍ରଭାବିତ ହୋଇଥିବାରୁ ଏମାନଙ୍କୁ ଉଦ୍ଧାର କରିବା କାର୍ଯ୍ୟ ଜାରି ରହିଛି ବୋଲି ସୂଚନା ମିଳିଛି। ଅନ୍ୟପକ୍ଷେ ଦକ୍ଷିଣ-ପୂର୍ବ ଜଙ୍ଗଲରେ ଲାଗିଥିବା ନିଆଁ କିନ୍ତୁ ଏପର୍ଯ୍ୟନ୍ତ ଲିଭିବାର ନାଁ ନେଉନି। ତେବେ ଗୋଟିଏ ପଟେ ବର୍ଷା ହୋଇଥିବାରୁ ତାପମାତ୍ରାରେ ସାମାନ୍ୟ ପରିବର୍ତ୍ତନ ଆସିଥିବାରୁ ନିଆଁ ଲିଭା କାର୍ଯ୍ୟରେ ଏହା ସାହାଯ୍ୟ କରୁଛି ବୋଲି ଦମକଳ ବାହିନୀ ପକ୍ଷରୁ ପ୍ରକାଶ।

Share