‘ଲିଲି ବବ୍‌’ ମୃତ୍ୟୁରେ ନାସାର ଶ୍ରଦ୍ଧାଞ୍ଜଳି: ୬୭ ଲକ୍ଷ ଫଲୋଅର୍ସ ଥିଲେ

ଓ୍ବାଶିଂଟନ: ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଥିବା ଚର୍ଚ୍ଚିତ ବିଲେଇ ‘ଲିଲି ବବ୍‌’ର ରବିବାର ମୃତ୍ୟୁ ହୋଇଯାଇଛି। ୮ବର୍ଷୀୟ ଏହି ବିଲେଇର ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ଟୁଇଟର ଏବଂ ୟୁଟ୍ୟୁବରେ ୬୭ ଲକ୍ଷରୁ ଊର୍ଦ୍ଧ୍ୱ ଫଲୋଅର୍ସ ଅଛନ୍ତି। କେବଳ ଏତିକି ନୁହେଁ, ଲିଲି ବବ୍‌ ନାମରେ ଏକ ସ୍ବତନ୍ତ୍ର ଓ୍ବେବସାଇଟ୍‌ ସହ ଅନ୍‌ଲାଇନ ଶପିଂ ଷ୍ଟୋର ମଧ୍ୟ ଥିଲା। ବିଲେଇଟିର ମୃତ୍ୟୁରେ ନାସା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ନାସା ଉଲ୍ଲେଖ କରିଛି ‘ମହାକାଶରେ ମିଶିବା ସ୍ନେହର ବବ୍‌, ତୁମ ଯାତ୍ରା ସୁରକ୍ଷିତ ରହୁ’। ଲିଲି ବବ୍‌ର ଏପରି ଚର୍ଚ୍ଚିତ ହେବା ପଛରେ କାରଣ ରହିଛି। ବିଲେଇଟି ଦୀର୍ଘଦିନ ଧରି ଜଟିଳ ରୋଗରେ ପୀଡ଼ିତ ଥିଲା। ଏହାକୁ ସମ୍ମାନ ଜଣାଇ ନ୍ୟାଶନାଲ ଫଣ୍ଡ ଗଠନ କରାଯାଇଥିଲା, ଯେଉଁଥିରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ସଂଗୃହୀତ ହୋଇଥିଲା। ଏହି ପାଣ୍ଠି ଜରିଆରେ ଚିକିତ୍ସା ଆବଶ୍ୟକ କରୁଥିବା ଗୃହପାଳିତ ପ୍ରାଣୀଙ୍କୁ ସହାୟତା କରାଯାଉଛି। ପ୍ରିୟ ପୋଷା ବିଲେଇର ବିୟୋଗରେ ମାଇକ୍‌ ବ୍ରିଡାବସ୍କି ସୋସିଆଲ ମଡିଆରେ ନିଜର ଦୁଃଖଦ ପୋଷ୍ଟ କରିଛନ୍ତି। ସେ ଏଥିରେ ଉଲ୍ଲେଖ କରିଛନ୍ତି, ଶନିବାର ରାତିରେ ଲିଲି ବବ୍‌ର ସ୍ବାସ୍ଥ୍ୟାବସ୍ଥା ସ୍ବାଭାବିକ ଥିଲା। ସବୁଦିନ ପରି ସେ ଶେଯକୁ ଯାଇଥିଲା। ରବିବାର ସକାଳେ ସମସ୍ତେ ଆଖି ଖୋଲିଲେ, ହେଲେ ବବ୍‌ ଚିରନିଦ୍ରାରେ ଶୋଇଯାଇଥିଲା। ମାଇକ୍‌ ଆହୁରି ମଧ୍ୟ କହିଛନ୍ତି, ବବ୍‌ ହାଡ ସଂକ୍ରମଣ ଭଳି ଜଟିଳ ରୋଗରେ ଯନ୍ତ୍ରଣା ପାଉଥିଲା। ଏଥିପାଇଁ ସେ ଚିନ୍ତିତ ଥିଲେ। ଆବଶ୍ୟକ ଚିକିତ୍ସା ମଧ୍ୟ କରୁଥିଲେ। ଅନେକ ଶାରୀରିକ ବ୍ୟତିକ୍ରମ ସତ୍ତ୍ୱେ ସେ ତାକୁ ନେଇ ଗର୍ବ ଅନୁଭବ କରୁଥିଲେ। ବବ୍‌ ଆଉ ନାହିଁ ଏକଥା ବିଶ୍ୱାସ ହେଉନାହିଁ। ଏମିତି ଲାଗୁଛି ତାହାର ମୃତ୍ୟୁ ଇଚ୍ଛାଧୀନ। ପରିବାର ଲୋକଙ୍କୁ ଚିନ୍ତାରେ ନ ପକାଇ ସେ ଏପରି ନିଷ୍ପତ୍ତି ନେଇଥିବା ଭଳି ମନେ ହେଉଛି।
୨୦୧୧ ଜୁନ୍‌ ୨୧ରେ ଏକ ଆବର୍ଜନା ଗଦାରୁ ଲିଲି ବବ୍‌କୁ ଠାବ କରିଥିଲେ ମାଇକ୍‌। ଜିଭ ହଲାଇବା ଶୈଳୀ, ନିଜର ସ୍ବତନ୍ତ୍ର ଆକାର ଲାଗି ବିଲେଇଟି ଅତି କମ୍‌ଦିନରେ ପ୍ରଶସଂକଙ୍କ ମନ ଜିଣିପାରିଥିଲା। ବବ୍‌ ଜନ୍ମରୁ ଜେନେଟିକ୍‌ ରୋଗରେ ପୀଡ଼ିତ ଥିଲା। ତଥାପି ନିଜର ଭାବଭଙ୍ଗୀ ପାଇଁ ସେ ସୋସିଆଲ ମିଡିଆରେ ସେନ୍‌ସେସନ ପାଲଟିଥିଲା। ଅନେକ ଟିଭି ଚ୍ୟାନେଲ ଏବଂ ଇଣ୍ଟଭ୍ୟୁରେ ବବ୍‌କୁ ପ୍ରଦର୍ଶନ କରାଯାଇଥିଲା। ଏହା ସହ ମିଶିବାକୁ ଖ୍ୟାତନାମା ଆକ୍ଟର ମଧ୍ୟ ଇଚ୍ଛା ପ୍ରକାଶ କରୁଥିଲେ।

Share