Categories: ଖେଳ

ଲି ଜିତିଲେ ହଂକଂ ଟାଇଟଲ

ହଂକଂ, ୧୭ା୧୧ (ଏଏଫ୍‌ପି)- ସ୍ଥାନୀୟ ଫେଭରାଇଟ୍‌ ଲି ଚିଉକ୍‌ ୟୁ ହଂକଂ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଜିତିଛନ୍ତି। ରବିବାର ଅନୁଷ୍ଠିତ ରୋମାଞ୍ଚକ ଫାଇନାଲରେ ସେ ଇଣ୍ଡୋନେସିଆର ଆନ୍ଥୋନୀ ଗିଣ୍ଟିଂଙ୍କୁ ୧୬-୨୧, ୨୧-୧୦, ୨୨-୧୦ରେ ହରାଇ ଦେଇଛନ୍ତି। ପଳରେ ପ୍ରଥମ ଥର ସେ ଏକ ବଡ଼ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛନ୍ତି। ହଂକଂରେ ବର୍ତ୍ତମାନ ଗଣତନ୍ତ୍ର ସପକ୍ଷବାଦୀଙ୍କର ଜୋର୍‌ଦାର ବିକ୍ଷୋଭ ପ୍ରଦର୍ଶନ ଚାଲିଛି। ସହରରେ ଉତ୍ତେଜନା ମଧ୍ୟ ଦେଖାଦେଇଛି। ଫାଇନାଲ ମ୍ୟାଚ ପଲିଟେକ୍‌ନିକ୍‌ ୟୁନିଭର୍ସିଟି ନିକଟରେ ଥିବା ହକଂ କୋଲିଜିଅମ୍‌ଠାରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଜଣେ ବିକ୍ଷୋଭକାରୀଙ୍କ ତୀର ମାଡ଼ରେ ଜଣେ ପୋଲିସ କର୍ମଚାରୀ ଆହାତ ହୋଇଛନ୍ତି। ଲି’ କ୍ୱାର୍ଟରଫାଇନାଲରେ ଏବଂ ସେମିଫାଇନାଲରେ ଯଥାକ୍ରମେ ଡେନମାର୍କା ଏକ୍ସେଲେସେନ ଏବହ କିଡାମ୍ବି ଶ୍ରୀକାନ୍ତଙ୍କ ଭଳି ଖେଳାଳିଙ୍କ ବିପକ୍ଷରେ ଚମକପ୍ରଦ ବିଜୟ ହାସଲ କରିଥିଲେ। ଅନ୍ୟପକ୍ଷରେ ଚାଇନାର ଚେନ୍‌ ୟୁଫେଇ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ରବିବାର ସଂଘର୍ଷପୂର୍ଣ୍ଣ ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ପୂର୍ବତନ ବିଶ୍ୱ ଚାମ୍ପିୟନ ଥାଇଲାଣ୍ଡର ରାଚାନକ୍‌ ଇଣ୍ଟାନନଙ୍କୁ ୨୧-୧୮, ୧୩-୨୧ ଏବଂ ୨୧-୧୩ରେ ପରାସ୍ତ କରିଛନ୍ତି। ଦକ୍ଷିଣ କୋରିଆର ଚେଇ ସୋଲ୍‌ ଗ୍ୟୁ ଓ ସିଓ ସେଅଙ୍ଗ୍‌ ଜେଇ ଇଣ୍ଡୋନେସିଆର ମହମ୍ମଦ ଅହସାନ ଏବଂ ହେଣ୍ଡ୍ରା ସେତିଓ୍ବାନଙ୍କୁ ହରାଇ ମିକ୍ସଡ ଡବଲ୍ସ ଜିତିଛନ୍ତି। ସେହିପରି ଚାଇନାର ଚେନ୍‌ କ୍ୱିଙ୍ଗ୍‌ଚେନ୍‌ ଏବଂ ଜିଆ ୟିଫାନ ମହିଳା ଡବଲ୍ସ ଫାଇନାଲ ଜିତିଛନ୍ତି। ସେମାନେ ଚାଙ୍ଗ ୟି ନା ଏବଂ କିମ୍‌ ହାଇରିନ୍‌ଙ୍କୁ ପରାସ୍ତ କରିଛନ୍ତି।

Share