Categories: ଖେଳ

ଲୁକା କିଲିଆନ କରୋନା ଭାଇରସ୍‌ରେ ଆକ୍ରାନ୍ତ

ବର୍ଲିନ,୧୪ା୩ (ଏଏଫ୍‌ପି): ବୁଣ୍ଡେସଲିଗା ଟିମ୍‌ ପ୍ୟାଡରବର୍ନର ଲୁକା କିଲିଆନ ନାମକ ୨୦ ବର୍ଷୀୟ ଖେଳାଳି କରୋନା ଭାଇରସ୍‌ ଦ୍ୱାରା ଫୀଡ଼ିତ ହୋଇଛନ୍ତି। ଫଳରେ ତାଙ୍କ ଫୁଟ୍‌ବଲ ଦଳର ସମସ୍ତଙ୍କ ସମେତ ୪୫ଜଣଙ୍କୁ ଏବେ ପୃଥକ୍‌ ସ୍ଥାନରେ ପର୍ଯ୍ୟବେକ୍ଷଣରେ ରଖାଯାଇଛି। ୨୦ବର୍ଷୀୟ କିଲିଆନ ମାର୍ଚ୍ଚ ୫ରୁ ଏପର୍ଯ୍ୟନ୍ତ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଅଲଗା ସ୍ଥାନରେ ଏକ ଆପାର୍ଟମେଣ୍ଟରେ ରଖାଯାଇଛି। ପ୍ୟାଡରବର୍ନ ଫୁଟ୍‌ବଲ ଟିମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହେବାରେ କିଲିଆନ ହେଉଛନ୍ତି ଜର୍ମାନୀର ପ୍ରଥମ ଫୁଟ୍‌ବଲ ଖେଳାଳି। ସୂଚନାଯୋଗ୍ୟ, ପ୍ୟାଡରବର୍ନ ଟିମ୍‌ ଗତବର୍ଷ ଜର୍ମାନୀର ପ୍ରଥମ ଡିଭିଜନ ଲିଗ୍‌କୁ ପଦୋନ୍ନତି ପାଇଥିଲା। ଦଳ ବର୍ତ୍ତମାନ ଲିଗ୍‌ରେ ୨୫ଟି ମ୍ୟାଚରୁ ୧୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି। କରୋନା ଭାଇରସ ଆତଙ୍କ ଯୋଗୁ ବୁଣ୍ଡେସଲିଗା ଏହାର ପ୍ରଥମ ଡିଭିଜନ ଟୁର୍ନାମେଣ୍ଟକୁ ତୁରନ୍ତ ସ୍ଥଗିତ ରଖିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧପରେ ପ୍ରଥମ ଥର ଟୁର୍ନାମେଣ୍ଟକୁ ଅଧାରୁ ସ୍ଥଗିତ ରଖାଯାଇଛି। ଫଳରେ ବର୍ତ୍ତମାନ ୟୁରୋପର ସମସ୍ତ ୫ ଟପ୍‌ ଲିଗ୍‌କୁ ସସ୍‌ପେଣ୍ଡ କରାଯାଇଛି।

Share