ଲୁଟିନେଲେ ୨୯ ଟନ୍‌ ଲୁହାଛଡ଼

ପରଜଙ୍ଗ, ୨୪।୮(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ୧୪୯ନଂ. ଜାତୀୟ ରାଜପଥର ପରମହଂସପୁର ଛକ ନିକଟରୁ ଗୁରୁବାର ଅପରାହ୍ନରେ ବଡ଼ଧରଣର ଲୁଟ୍‌ ହୋଇଛି। ବୋଲେରୋରେ ଆସିଥିବା ୪ଜଣ ଦୁର୍ବୃତ୍ତ ଏକ ଟ୍ରେଲର (ଜେଏସ୍‌ ୦୯ ଡି ୨୭୨୧)କୁ କୌଶଳକ୍ରମେ ଅପହରଣ କରି ସେଥିରେ ଥିବା ୨୯ ଟନ୍‌ ଲୁହାଛଡ଼ ନେଇଯାଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ପୋଲିସ ଟ୍ରେଲରକୁ ଜବତ କରିଛି। ଅଭିଯୁକ୍ତମାନେ ଫେରାର ଅଛନ୍ତି।
ପୋଲିସ ନିକଟରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗୁରୁବାର ଅପରାହ୍ନ ୪ରେ ଟ୍ରେଲ୍‌ରଟି ଜିନ୍ଦଲରୁ ଲୁହାଛଡ଼ ନେଇ ବିହାର ଯାଉଥିଲା। ପରମହଂସପୁର ଛକଠାରୁ ଅଳ୍ପ ଦୂରରେ ବୋଲେରୋରେ ୪ଜଣ ବ୍ୟକ୍ତି ଆସି ଟ୍ରେଲରକୁ ଅଟକାଇଥିଲେ। ଏକ ସ୍କୁଟିକୁ ଦୁର୍ଘଟଣା ଘଟାଇ ଚାଲିଆସିଥିବା ଅଭିଯୋଗ କରି ଡ୍ରାଇଭର ଶଙ୍କର ପାଳଙ୍କୁ ଗାଡ଼ିରୁ ଓହ୍ଲାଇବାକୁ କହିଥିଲେ। ଚାଳକ ତଳକୁ ଆସିବା ପରେ ତାଙ୍କୁ ଚୁପ୍‌ଚାପ୍‌ ବୋଲେରୋରେ ବସିବାକୁ ଧମକାଇଥିଲେ। ୩ଜଣ ଅଭିଯୁକ୍ତ ଡ୍ରାଇଭରଙ୍କୁ ବାନ୍ଧିଦେଇ ଗାଡ଼ିରେ ପକାଇ ଦେଇଥିଲେ। ଅନ୍ୟଜଣେ ଟ୍ରେଲ୍‌ରକୁ ନେଇ ପଳାଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମୋଟଙ୍ଗା ଥାନା ଗୁଣଦେଈପୁର ନିକଟରେ ଟ୍ରେଲର ଚାଳକଙ୍କୁ ଛାଡ଼ି ପଳାଇଥିଲେ।
ଡ୍ରାଇଭର ନିକଟରେ ଥିବା ଏକ ଚା’ ଦୋକାନୀଙ୍କ ସହାୟତାରେ ଘଟଣା ସମ୍ପର୍କରେ
ଗାଡ଼ି ମାଲିକଙ୍କୁ ଜଣାଇଥିଲେ। ଏହାପରେ ଥାନାକୁ ସୂଚନା ଦିଆଯାଇଥିଲା। ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ସୁଦ୍ଧା ଗାଡ଼ି କିମ୍ବା ଅଭିଯୁକ୍ତଙ୍କ ସୁରାକ ପାଇପାରି ନ ଥିଲା। ଶୁକ୍ରବାର କୌଣସି ସୂତ୍ରରୁ ସୂଚନା ପାଇ ହିନ୍ଦୋଳ ରୋଡ୍‌ରୁ ପୋଲିସ ଖାଲି ଟ୍ରେଲରକୁ ଉଦ୍ଧାର କରିଛି। ଏ ନେଇ ଥାନାଧିକାରୀ ଆନନ୍ଦ କୁମାର ଡୁଙ୍ଗ୍‌ଡୁଙ୍ଗ୍‌ କୁହନ୍ତି, ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଲୁହାଛଡ଼ ଅନ୍‌ଲୋଡ଼ କରି ନେଇଯାଇଛନ୍ତି। ଡ୍ରାଇଭରଙ୍କ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ଲୁଟ୍‌ ସମ୍ପର୍କରେ ଅଧିକ ତଦନ୍ତ କରାଯାଉଥିବା ସେ ସୂଚନା ଦେଇଛନ୍ତି।