Categories: ମେଟ୍ରୋ

ଲୁଟେରା, ନିଶା ମାଫିଆଙ୍କୁ ଧରାଇବେ ସ୍ଥାନୀୟ ଯୁବକ

୪ ଲୁଟ୍‌ ଓ ଡକାୟତି ଘଟଣାକୁ ନେଇ ଲୋକେ ରାସ୍ତାକୁ ଓହ୍ଲାଇବା ପରେ କମିଶନରେଟ ପୋଲିସର ନିଦ ହଜିଛି। ରସୁଲଗଡ଼ରେ ରାସ୍ତାରୋକୋ ଓ ପୋଡ଼ାଜଳାସ୍ଥଳରେ ପହଞ୍ଚତ୍ ପୋଲିସ କମିଶନର ସତ୍ୟଜିତ୍‌ ମହାନ୍ତି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ସହ ଆଲୋଚନା ପାଇଁ ଡାକିଥିଲେ। ସନ୍ଧ୍ୟାରେ ଡିସିପି କାର୍ଯ୍ୟାଳୟଠାରେ ସ୍ଥାନୀୟ ଅଞ୍ଚଳର ମୁରବି, ଯୁବକ ଓ ବରିଷ୍ଠ ନାଗରିକଙ୍କୁ ନେଇ ବୈଠକ ବସିଥିଲା। ଡିସିପି ଅନୁପ ସାହୁ ଓ ଅନ୍ୟ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଲୋକେ କ୍ଷୋଭ ପ୍ରକାଶ କରିବା ସହ ନିଶା କାରବାର ଓ ଲୁଟ୍‌କୁ ନେଇ ନାନା ଅଭିଯୋଗ ଉଠାଇଥିଲେ। ପାଟ୍ରୋଲିଂ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ବହୁ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ପୋଲିସ ଲୋକଙ୍କ ସହଯୋଗ ଲୋଡ଼ିଥିଲା। ଅପରାଧୀ କିମ୍ବା କୌଣସି ଲୋକଙ୍କ ଉପରେ ସନ୍ଦେହ ହେଲେ ତୁରନ୍ତ ଜଣାଇବା ସହ ଯଦି କୌଣସି ଘଟଣା ଘଟୁଛି ତୁରନ୍ତ ଅଭିଯୁକ୍ତଙ୍କ ଗାଡ଼ି ନମ୍ବର କିମ୍ବା ଅନ୍ୟ କୌଣସି ସଂକ୍ରାନ୍ତରେ ପୋଲିସକୁ ସୂଚନା ଦେବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଏ କ୍ଷେତ୍ରରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ଉପସ୍ଥିତ ଯୁବକ ଓ ଅନ୍ୟମାନେ ସହମତି ଦେଇଥିଲେ। ଏ ନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଲୁଟେରାଙ୍କୁ ଧରିବା ପାଇଁ ବିଭିନ୍ନ ଛକ ଓ ଗଳି କନ୍ଦିରେ ପୋଲିସ ଚଢ଼ାଉ ସହ ଚେକିଂ ଚଳାଇଛି। ସ୍ଥାନୀୟ ଲୋକେ ଅଜଣା ଲୋକଙ୍କୁ ଚିହ୍ନଟ କରିବାରେ ପୋଲିସକୁ ସହଯୋଗ କରନ୍ତୁ। ଘଟଣା ଘଟିଲେ ତୁରନ୍ତ ସିଧାସଳଖ ପୋଲିସ କମିଶନରଙ୍କ ସିୟୁଜି ମୋବାଇଲ୍‌ ନଂ. ୮୨୮୦୩୩୮୩୦୦ରେ ସମ୍ପର୍କ କରି ଜଣାଇବାକୁ ପରାମର୍ଶ ଦେଇଛନ୍ତି।

Share