Categories: ଫୁରସତ

ଲୁଣ ଖଣିରେ ସ୍ପା

ମନ, ଶରୀରକୁ ରିଲାକ୍ସ କରିବା ପାଇଁ ଆଜିକାଲି ବିଭିନ୍ନ ବିୟୁଟି ଥେରାପି ସଂସ୍ଥା ବିଭିନ୍ନ ସ୍ପା ସେବା ପ୍ରଦାନ କରିଥାନ୍ତି। ତେବେ ୟୁରୋପର ବେଲାରୁଷଠାରେ ରହିଛି ଏଭଳି କିଛି ଲୁଣ ଖଣି ଯେଉଁଠାରେ ପର୍ଯ୍ୟଟକମାନଙ୍କୁ ଏକ ନିଆରା ସ୍ପାର ଅନୁଭୂତି ପ୍ରଦାନ କରାଯାଇଥାଏ। ମାଟିରୁ ୪୦୦ ମିଟର ଗଭୀରରେ ଥିବା ଏହି ସ୍ପାରେ ପର୍ଯ୍ୟଟକମାନେ ଲୁଣ ଘେରା କୋଠରି ଭିତରେ କିଛି ମୁହୂର୍ତ୍ତ ଆରାମ କରିବା ସହ ବିଭିନ୍ନ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାରୁ ମଧ୍ୟ ଉପଶମ ଲାଭ କରନ୍ତି। କୁହାଯାଏ ବେଲାରୁଷର ଖଣି ଏବଂ ସୁଡ଼ଙ୍ଗଗୁଡ଼ିକରେ ଲୁଚି ରହିଛି ପୃଥିବୀର ସବୁଠାରୁ ବଡ଼ ଲୁଣର ଭଣ୍ଡାର । ପ୍ରତିବର୍ଷ ଏଠାକୁ ପୃଥିବୀର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକମାନେ ପରିଭ୍ରମଣରେ ଆସିଥାନ୍ତି । ଏଠାରେ ପ୍ରଦାନ କରାଯାଉଥିବା ସଲ୍ଟ ଥେରାପି ମାଧ୍ୟମରେ ସେମାନେ ନା କେବଳ ମାନସିକ ଶାନ୍ତି ଲାଭ କରନ୍ତି ବରଂ ଆଜ୍‌ମା, ଏଲର୍ଜି, ଶ୍ୱାସକ୍ରିୟା ସମ୍ବନ୍ଧୀୟ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରୁ ଉପଶମ ମଧ୍ୟ ଲାଭ କରନ୍ତି। ଏହି ସ୍ପାରେ ପର୍ଯ୍ୟଟକଙ୍କ ପାଇଁ ରାତ୍ରି ଯାପନର ସୁବିଧା ଥିବା ବେଳେ ଆରାମଦାୟକ ପରିବେଶ ପାଇଁ ଏଠାରେ ସ୍ଲୋ ମ୍ୟୁଜିକ୍‌ର ବ୍ୟବସ୍ଥା ମଧ୍ୟ ରହିଛି ।
କେବଳ ସେତିକି ନୁହେଁ ପର୍ଯ୍ୟଟକଙ୍କୁ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବା ଲାଗି ଟିଭି, ଇଣ୍ଟରନେଟ ଭଳି ଆଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା ନାହିଁ ବରଂ ପର୍ଯ୍ୟଟକମାନେ ଓ୍ବାକିଂ, ଜଗିଙ୍ଗ୍‌, କସରତ କରିବା ସହ ଭଲିବଲ, ବାସ୍କେଟବଲ ଖେଳିବାର ମଜା ଉଠାଇପାରିବେ।

Share