Categories: କନ୍ଧମାଳ

ଲୁଦୁ ଜଳପ୍ରପାତ: ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଦାବି

କୋଟଗଡ଼,୩ା୧(ଡି.ଏନ୍‌.ଏ.)- ସରକାର ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଲାଗି ବହୁ ଟଙ୍କା ଖର୍ଚ୍ଚ କରୁଛନ୍ତି। କନ୍ଧମାଳ ଜିଲାରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି। ଏହାର ବିକାଶ ଲାଗି ବହୁ ଟଙ୍କା ପର୍ଯ୍ୟଟନ ବିଭାଗ ପକ୍ଷରୁ ଖର୍ଚ୍ଚ କରାଯାଉଛି। କିନ୍ତୁ ଆହୁରି ଅନେକ ପର୍ଯ୍ୟଟନସ୍ଥଳୀ ରହିଛି, ଯାହାକୁ ଜିଲା ପ୍ରଶାସନ କିମ୍ବା ସରକାରଙ୍କ ପକ୍ଷରୁ ଦୃଷ୍ଟି ଦିଆଯାଉ ନାହିଁ। ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ଯଦି ଏଥିପ୍ରତି ସରକାର ଦୃଷ୍ଟି ଦିଅନ୍ତେ ସେଠାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଯାଇପାରନ୍ତେ। ତାହା ମଧ୍ୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇପାରନ୍ତା। ଏଭଳି ଏକ ସ୍ଥାନ କନ୍ଧମାଳ ଜିଲା କୋଟଗଡ ବ୍ଲକଠାରୁ ୨୫ କି.ମି. ଦୂର ସୁବର୍ଣ୍ଣଗିରି ପଞ୍ଚାୟତ ଜାକେସିଠାରେ ରହିଛି । ତାହା ହେଲା ଲୁଦୁ ଜଳପ୍ରପାତ। ଏହାକୁ ଦେଖିବାକୁ ରାଜ୍ୟ ତଥା ବାହାରୁ ବହୁ ପର୍ଯ୍ୟଟକ ବିଭିନ୍ନ ସମୟରେ ଆସିଥାନ୍ତି। ସୁନ୍ଦର ପ୍ରାକୃତିକ ପରିବେଶ ସହ ଜଳପ୍ରପାତର ମଜାନେବା ପାଇଁ ପରିବାର ସହ ଆସି ଏଠାରେ ବଣଭୋଜି କରିଥାନ୍ତି। ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ସୁନ୍ଦର ଶୋଭାରାଜିକୁ ଉପଭୋଗ କରିବାକୁ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବୁଲିବାକୁ ଆସନ୍ତି। ମାତ୍ର ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ଆନୁଷଙ୍ଗିକ ସୁବିଧାସୁଯୋଗ ନାହିଁ। ରାନ୍ଧିବା ଓ ଖାଇବା ପାଇଁ ପିଣ୍ଡି ନିର୍ମାଣ ସହ ପାନୀୟଜଳ ଓ ପାର୍କିଂ ବ୍ୟବସ୍ଥା ନାହିଁ। ସ୍ଥାନୀୟ ପ୍ରଶାସନ ଜଳପ୍ରପାତ ପ୍ରତି ଯଦି ଦୃଷ୍ଟି ଦିଅନ୍ତେ, ତାହେଲେ ପର୍ଯ୍ୟଟକମାନେ ବଣଭୋଜି କରିବା ସହ ବିଶ୍ରାମ ନେଇପାରନ୍ତେ। ଏଠାକୁ ଆହୁରି ଅଧିକ ପର୍ଯ୍ୟଟକ ଆସନ୍ତେ। ତେଣୁ ଲୁଦୁ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ପାଇଁ ସୁବର୍ଣ୍ଣଗିରି ପଞ୍ଚାୟତର ପୂର୍ବତନ ସରପଞ୍ଚ ପରାଶର ପାଟ୍ଟମାଝି ଓ ଏସ୍‌ସି ଏସ୍‌ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ୟକ୍ଷା ସୁରେଖା ପାଟ୍ଟମାଝି ପ୍ରମୁଖ ଦାବି କରିଛନ୍ତି।