ଲୁପ୍ତପ୍ରାୟ ଲୋକକଳାର ୮୩ତମ ସନ୍ଧ୍ୟା ଚକିତ କଲା ରାମପ୍ରତାପଙ୍କ ଯାଦୁକରୀ

ଭୁବନେଶ୍ୱର, ୧୯ା୧୧(ବ୍ୟୁରୋ): ପ୍ରାଚୀନ ଯୁଗରୁ ଯାଦୁକରୀ ବିଦ୍ୟାର ନଜିର ରହିଛି। କିନ୍ତୁ ବର୍ତ୍ତମାନ ଏହି ବିଦ୍ୟା ଏବେ ଲୁପ୍ତପ୍ରାୟ ଅବସ୍ଥାରେ ପହଞ୍ଚତ୍ଥିଲେ ମଧ୍ୟ କେତେଜଣ ବଞ୍ଚାଇ ରଖିବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଛତିଶଗଡ଼ର ରାମପ୍ରତାପ ଅଗ୍ରଓ୍ବାଲ। ତାଙ୍କର ଯାଦୁକରୀ ସୋମବାର ଭାରତୀୟ ବିଦ୍ୟାଭବନରେ ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ଚକିତ କରିଦେଇଥିଲା। ସେ ଆଖି ଖୋଲୁ ଖୋଲୁ ପାଣିର ରଙ୍ଗ ବଦଳାଇବା ହେଉ କି ଖବରକାଗଜକୁ ଚିରି ପୁଣି ଥରେ ଯୋଡ଼ିବା, ୨ହଜାର ଟଙ୍କିଆ ନୋଟ୍‌ରେ ଫୋଡ କରିବାରେ ତାହା ହଠାତ୍‌ ଛାଏଁ ବନ୍ଦ ହେବା, କାନରୁ ରୁମାଲ କାଢିବା, ତାସକୁ ଶୂନ୍ୟରେ ଉଡାଇବା ଆଦି ଯାଦୁ ଦର୍ଶକଙ୍କୁ ଭିନ୍ନ ମନୋରଞ୍ଜନ ଦେଇଥିଲା।
ଭାରତୀୟ ବିଦ୍ୟା ଭବନ ଓ ଇମ୍ଫୋସିସ୍‌ ଫାଉଣ୍ଡେଶନ ପକ୍ଷରୁ ଲୁପ୍ତପ୍ରାୟ ଲୋକକଳାର ୮୩ତମ ସନ୍ଧ୍ୟାର ଆୟୋଜନ କରାଯାଇଥିଲା। ଏଥିରେ ରାମପ୍ରସାଦ ସମସ୍ତଙ୍କୁ ନିଜର ଯାଦୁ ଦେଖାଇଥିଲେ। ସେ ଜଣେ ମେକାନିକାଲ ଇଞ୍ଜିନିୟର ହୋଇଥିବାବେଳେ ଭିଲାଇ ଷ୍ଟିଲ୍‌ ପ୍ଲାଣ୍ଟର ଅବସରପ୍ରାପ୍ତ ଡେପୁଟି ଜେନେରାଲ ମାନେଜର। ଯାଦୁବିଦ୍ୟା ପାଇଁ ସେ ଆଜି ସାରା ଦେଶରେ ବେଶ୍‌ ପରିଚିତ। ସେ ଛତିଶଗଡ଼ର ରତ୍ନ ଓ ଯାଦୁକଳା ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସର୍ବଭାରତୀୟ ମ୍ୟାଜିକ୍‌ ଏକାଡେମୀ ଗୋଆ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନର ଅଧିକାରୀ ମଧ୍ୟ ହୋଇଛନ୍ତି ରାମପ୍ରତାପ।

Share