‘ଲୁପ୍‌ ଲପେଟା’ରେ ଆସିବେ ତାପସୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ଥାପ୍ପଡ’ର ଟ୍ରେଲର୍‌ ରିଲିଜ ହୋଇଥିଲା। ଦର୍ଶକଙ୍କୁ ଫିଲ୍ମର କନ୍ସେପ୍ଟ ବେଶ ଦମଦାର୍‌ ଲାଗୁଛି। ସୋସିଆଲ ମିଡିଆରେ ଏବେ ଦର୍ଶକ ତାପସୀଙ୍କୁ ପ୍ରଶଂସାରେ ପୋତି ପକାଇଲେଣି। ତାପସୀଙ୍କ ସହ ଫିଲ୍ମର କାହାଣୀକୁ ମଧ୍ୟ ସମସ୍ତେ ପସନ୍ଦ କରୁଛନ୍ତି। ଏହି ଫିଲ୍ମ ପରେ ଏକ ଥ୍ରୀଲର୍‌-କମେଡି ଫିଲ୍ମ ‘ଲୁପ୍‌ ଲପେଟା’ ରେ ନଜର ଆସିବେ ତାପସୀ। ଆକାଶ ଭାଟ୍ଟିଆଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜାନୁୟାରୀ ୨୯, ୨୦୨୧ରେ ରିଲିଜ୍‌ ହେବ। ଖୁବ୍‌ଶୀଘ୍ର ଫିଲ୍ମର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି। ତାପସୀ ଏବେ ‘ଥପ୍ପଡ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅନୁଭବ ସିହ୍ନା ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ କୃଷ୍ଣ କୁମାର ଓ ଭୂଷଣ କୁମାରଙ୍କ ସହ ମିଶି ଏହାର ପ୍ରଯୋଜନା ମଧ୍ୟ କରିଛନ୍ତି। ଫିଲ୍ମଟି ଫେବୃଆରୀ ୨୮ରେ ପରଦାକୁ ଆସିବ। ଏହି ଫିଲ୍ମ ରିଲିଜ୍‌ ପରେ ତାପସୀ ‘ଲୁପ୍‌ ଲପେଟା’ ର ଶୁଟିଂ ଆରମ୍ଭ କରିବେ।

Share