ଲୁହାସ୍କ୍ରାପ ଚୋରାଚାଲାଣ : ୩ ଗିରଫ, ଟେମ୍ପୋ ଓ ବନ୍ଧୁକ ଜବତ

ବଡ଼ବିଲ,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିବା ଏକ ଲୁହାସ୍କ୍ରାପ ବୋଝେଇ ଟେମ୍ପୋକୁ ରାଜ୍ୟ ସୀମାନ୍ତରୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟେମ୍ପୋ ଡ୍ରାଇଭର ବଡ଼ବିଲ ଗାଢାହଟିଂ ଅଞ୍ଚଳର ରେଟୋ ଓରଫ ମହାନ୍ତି ମୁଣ୍ଡାମୁଖ୍ୟ ଅଭିଯୁକ୍ତ ଦାମୁହଟିଂ ଅଞ୍ଚଳର ବଂଶୀଧର ପଣ୍ଡା ଓ ଟିଟୁ ଓରଫ ସୁନୀଲ ପାତ୍ର। ଟିଟୁଙ୍କ ଘରେ ଚଢ଼ାଉ କରି ପୋଲିସ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ଶନିବାର ମଧ୍ୟାହ୍ନରେ ବଡ଼ବିଲ ଏସ୍‌ଡିପିଓ (ସବ୍‌ଡିଭିଜନାଲ ପୋଲିସ ଅଫିସର) ଦିଲୀପ ଚନ୍ଦ୍ର ବାଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ବଡ଼ବିଲ ହରିହର ମନ୍ଦିର ପଛପାଖରେ ସରକାରୀ ଜମି ଜବରଦଖଲ କରି କାର୍ତ୍ତିକ ବାଗାନରୁ ଚୋରା ଲୁହା ସ୍କ୍ରାପ୍‌ (ପ୍ରାୟ ୫୦୦ କିଲୋଗ୍ରାମ ଓଜନ) ବୋଝେଇ କରି ଓଡି ୦୯ ସି ୬୪୧୮ ନମ୍ବର ବିଶିଷ୍ଟ (ଟାଟା ଏସିଇ) ଟେମ୍ପୋ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସୂଚନା ମିଳିଥିଲା। ଖବରପାଇ ବଡ଼ବିଲ ଥାନା ଇନ୍ସପେକ୍ଟର ସଦଳବଳେ ସୀମାନ୍ତ ନାଲଦାରୁ ଉକ୍ତ ଲୁହା ସ୍କ୍ରାପ ବୋଝେଇ ଟେମ୍ପୋ ଜବତ କରିଥିଲାବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଟେମ୍ପୋ ଡ୍ରାଇଭର ରେଟୋଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବାରୁ ଚୋରା କାରବାରରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ପାଇଥିଲା ପୋଲିସ। ତେବେ ଶୁକ୍ରବାର ରାତିରେ ପୋଲିସ ଦାମୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ବଂଶୀଧର ଓ ଟିଟୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏ ନେଇ ବଡ଼ବିଲ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଟିଟୁଙ୍କ ଘରୁ ବନ୍ଧୁକ ଜବତ ହୋଇଥିବାରୁ ଆଉ ଏକ ମାମଲା ରୁଜୁ କରିଥିବା ପୋଲିସ କହିଛି। ଅଭିଯୁକ୍ତ ୩ ଜଣଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।