ଲେଉଟିଲା ଶୀତ, ୫ ଦିନ ଥରାଇବ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ରାଜ୍ୟରେ ପୁଣି ଲେଉଟିଛି ଶୀତ। ଅଦିନିଆ ବର୍ଷା ମାଟି ଭିଜାଇ ଚାଲିଯିବା ପରେ ଶୀତ ମାଡ଼ି ଆସିଛି। ଅସହ୍ୟ ଥଣ୍ଡାରେ ଥରୁଛି ସାରା ଓଡ଼ିଶା। ରବିବାର ୧୩ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲାବେଳେ ସୋନପୁର ପୁଣିଥରେ ସବୁଠାରୁ ଥଣ୍ଡା ସହର ପାଲଟିଛି। ସୋନପୁରରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପାମାତ୍ରା ୫ ଡିଗ୍ରୀ ରହିଥିବାବେଳେ ଅନୁଗୋଳରେ ୬, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡ଼ିରେ ୭.୨, ଝାରସୁଗୁଡ଼ାରେ ୮.୪, କେନ୍ଦୁଝରରେ ୮.୮, କୋରାପୁଟରେ, ବଲାଙ୍ଗୀର ଓ ସମ୍ବଲପୁରରେ ୯, ଭବାନୀପାଟଣାରେ ୯.୩, ସୁନ୍ଦରଗଡ଼ରେ ୯.୫ ଓ ବାଲେଶ୍ୱରରେ ୯.୮ ରେକର୍ଡ କରାଯାଇଛି। ତେବେ କଟକରେ ସର୍ବାଧିକ ୧୦.୨ ଡିଗ୍ରୀ ଓ ଭୁବନେଶ୍ୱରରେ ୧୧.୩ ଡିଗ୍ରୀ ତାପମାତ୍ରା ରହିଥିଲା। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଏହିଭଳି ଶୀତ ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଦୁଇଦିନ ପର୍ଯ୍ୟନ୍ତ ରାତି ସମୟରେ ସର୍ବନିମ୍ନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆସନ୍ତା ୨ରୁ ୩ଦିନ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଘନ କୁହୁଡ଼ି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ସୋମବାର ବିଭିନ୍ନ ଜିଲାକୁ ଶୀତର ପ୍ରକୋପ ଅଧିକ ରହିବ। ତେଣୁ ଅନୁଗୋଳ, ନୟାଗଡ଼, କନ୍ଧମାଳ, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ଆଦି ୬ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।
ଘନ କୁହୁଡ଼ି, ତୁଷାରପାତ: ଜନଜୀବନ ପ୍ରଭାବିତ
ରବିବାର ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ି ସମେତ ଗ୍ରୀନ୍‌ବାଡ଼ି, ସିମନବାଡ଼ି, ପର୍ତ୍ତମାହା ଓ କିଲାବାଡ଼ି ସମେତ ଅନେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତୁଷାରପାତ ହୋଇଛି। ସେହିପରି ସୁନ୍ଦରଗଡ଼ ଜିଲାର ବଣାଇ ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଥିଲା। ବିଭିନ୍ନ ସହରରେ ତାପମାତ୍ରା କମ୍‌ ସାଙ୍ଗକୁ ଘନ କୁହୁଡ଼ିର ମାତ୍ରା ଏତେ ଅଧିକ ରହିଥିଲା ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଇଥିଲା। ସକାଳ ୧୦ଟା ପର୍ଯ୍ୟନ୍ତ ଲୋକେ ବାହାରକୁ ଆସିବା ପାଇଁ ଡରିଥିଲେ। କୁହୁଡ଼ି ଯୋଗୁ ୧୦ ମିଟର ପର୍ଯ୍ୟନ୍ତ କିଛି ଦେଖାଯାଉ ନ ଥିଲା। ଏଥିଯୋଗୁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଥିବାବେଳେ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା। ଏସବୁ ଅଞ୍ଚଳର ବହୁ ଲୋକେ କାମଧନ୍ଦା କରିପାରି ନ ଥିବା ଦେଖିବାକୁ ମିଳିଥିଲା।

Share