Categories: ଜାତୀୟ

ଲେଉଟି ଆସିଲା ସାମୁଦ୍ରିକ ଝଡ଼ ‘ବାୟୁ’: ୪୮ ଘଣ୍ଟାରେ ଗୁଜରାଟ ଉପକୂଳ ଛୁଇଁବ

ନୂଆଦିଲ୍ଲୀ,୧୬ା୬ : ସାମୁଦ୍ରିକ ବାତ୍ୟା ‘ବାୟୁ’ ଲୁଚକାଳି ଖେଳୁଛି। ଗତ ଗୁରୁବାର ଏହା ଗୁଜରାଟ ଉପକୂଳରେ ମାଡ଼ ହେବାର ଆଶଙ୍କା ଥିବାବେଳେ ବୁଧବାର ରାତିରେ ଏହାର ଗତିପଥ ବଦଳି ଯାଇଥିଲା। ଫଳରେ ରାଜ୍ୟ ସରକାର ସ୍ଥାନାନ୍ତର ହୋଇଥିବା ପ୍ରାୟ ୩ ଲକ୍ଷ ଲୋକଙ୍କୁ ନିଜ ଘରକୁ ଫେରିଯିବାକୁ କହିଥିଲେ। ଏବେ କିନ୍ତୁ ‘ବାୟୁ’ ପୁଣି ଫେରିବାର ଆଶଙ୍କା ପ୍ରକାଶ ପାଇଛି। ଗତିପଥ ପୁଣି ବଦଳାଇ ଏହି ବାତ୍ୟା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଗୁଜରାଟର କଚ୍ଛରେ ମାଡ଼ ହେବ ବୋଲି କୁହାଯାଉଛି। ରାଜ୍ୟ ଭୂ-ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଏମ୍‌. ରାଜୀବନ୍‌ କହିଛନ୍ତି ଯେ, ଜୁନ୍‌ ୧୬ରେ ଏହା ମୋଡ଼ନେଇ ୧୭ ଓ ୧୮ରେ କଚ୍ଛକୁ ଛୁଇଁବ। ‘ବାୟୁ’ ପୂର୍ବଭଳି ଶକ୍ତିଶାଳୀ ନାହିଁ ଓ ଉପକୂଳରେ ଏହାର ପ୍ରଭାବରେ କେବଳ ଝଡ଼ବର୍ଷା ହେବ ବୋଲି ଭୂ-ବିଜ୍ଞାନ ବିଭାଗର ଅଧିକାରୀମାନେ କହିଛନ୍ତି।
ଓ ସୌରାଷ୍ଟ୍ରରେ ବାତ୍ୟା ‘ବାୟୁ’ ମାଡ଼ହେବା ନେଇ ଏତେଶୀଘ୍ର ଅନୁମାନ ଲଗାଇବା ଠିକ୍‌ ହେବନି ବୋଲି ଅହମଦାବାଦ ପାଣିପାଗ କେନ୍ଦ୍ରର ଉପନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ଏହା ପୁଣି ଗତିପଥ ବଦଳାଇପାରେ କିମ୍ବା ଦୁର୍ବଳ ହୋଇପାରେ। କେବଳ ସମୟକୁ ହିଁ ଏଥିଲାଗି ଅପେକ୍ଷା କରିବାକୁ ପଡ଼ିବ। ତେବେ ଶନିବାର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ପୁଣି ପରାମର୍ଶ ଦିଆଯାଇଛି। ଏଥିସହ ଉପକୂଳବାସୀ ସତର୍କ ରହିବାକୁ ମଧ୍ୟ ପାଣିପାଗ ବିଭାଗ କହିଛି।

Share