Categories: ଖେଳ

ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦେଲେ ସଚିନ

ନୂଆଦିଲ୍ଲୀ,୨୫।୩- ମାରାତ୍ମକ କରୋନା ଭାଇରସ କବଳରୁ ବଞ୍ଚତ୍ବା ପାଇଁ କୌଣସି ନିର୍ଦ୍ଧିଷ୍ଟ ଉପାୟ କିମ୍ବା ଔଷଧ ନାହିଁ। ଏଭଳି ପରିସ୍ଥିତିରେ ଦେଶ ବାସୀଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ସଚିନ ତେନ୍ଦୁଲକର। ସରଳ କାର୍ଯ୍ୟ କରିବା ସର୍ବଦା ସହଜ ନୁହେଁ। କାରଣ ଏଥି ନେଇ କ୍ରମାଗତ ଶୃଙ୍ଖଳା ଓ ଦୃଢ଼ ଇଚ୍ଛାଶକ୍ତି ଦରକାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଘରୁ ନ ବାହାରିବା ଲାଗି କହିଛନ୍ତି। ଏହି ଛୋଟିଆ କାର୍ଯ୍ୟ ନିୟୁତ ଲୋକଙ୍କ ଜୀବନ ବଞ୍ଚାଇ ପାରେ। କୋଭିଡ୍‌-୧୯ ବିପକ୍ଷରେ ଆମେ ଏକତ୍ରିତ ହୋଇ ଲଢ଼ିବା ବୋଲି ତେନ୍ଦୁଲକର ଟୁଇଟରରେ ଲେଖିଛନ୍ତି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦି ୨୧ ଦିନ ଯାଇ ପୂରା ଦେଶ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ବର୍ତ୍ତମାନ ପରିସ୍ଥିତିକୁ ଦେଖି ଯଦି ଆମେ ୨୧ ଦିନ ପାଇଁ ଘରେ ନ ରହିବା, ୨୧ ବର୍ଷ ପଛକୁ ଚାଲିଯିବା ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ ଅପିଲ ପରେ ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରିକେଟରମାନେ ତାଙ୍କ ପ୍ରଶଂସକଙ୍କୁ ୨୧ ଦିନ ଧରି ଘରେ ରହିବା ଲାଗି କହିଛନ୍ତି। ପୂରା ଦେଶକୁ ସୁରକ୍ଷିତ ରଖିବା ଲାଗି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ। ଏହା ଆମ କର୍ତ୍ତବ୍ୟ। ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତ। ଆଉ ପରିବାର ଓ ବନ୍ଧୁଗଣଙ୍କ ସ୍ବାସ୍ଥ୍ୟ ଓ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ ବୋଲି ଭାରତୀୟ ପେସର ଯଶପ୍ରୀତ ବୁମରା ଟୁଇଟ୍‌ କରିଛନ୍ତି। ତାଙ୍କ ଭଳି ବୀରେନ୍ଦ୍ର ସେହ୍ବାଗ, ଭିଭିଏସ୍‌ ଲକ୍ଷ୍ମଣଙ୍କ ଭଳି ପୂର୍ବତନ ଖେଳାଳି ରହିଛନ୍ତି।

Share