ଲୋକଙ୍କ ଅକ୍ତିଆରରେ ‘ମୋ ସାଇକେଲ’

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଭୁବନେଶ୍ୱରରେ ହକି ବିଶ୍ୱକପ୍‌ ଆରମ୍ଭ ହେବା ପୂର୍ବରୁ କ୍ୟାପିଟାଲ ରିଜିୟନ୍‌ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ମୋ ସାଇକେଲ ଓ ମୋ ବସ୍‌କୁ ଉଦ୍‌ଘାଟନ କରାଯାଇଥିଲା। ସହରବାସୀଙ୍କୁ ସୁସ୍ଥ ରଖିବା ସହ ବାହାରୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସ୍ବାଧୀନତାର ସହ ଯାତାୟାତ କରିବା ଲାଗି ମୋ ସାଇକେଲକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା। ହେଲେ ଏହି ସାଇକେଲ ଶେୟାରିଂ ସିଷ୍ଟମ ଏବେ ଠିକ୍‌ ରୂପେ କାର୍ଯ୍ୟକାରୀ ହେଉନାହିଁ। କେତେଗୋଟି ରାସ୍ତା କଡ଼ରେ ପଡ଼ି ରହୁଛି ତ ଆଉ କେହି ଲୋକ ତାକୁ ନିଜ ଘରେ ନଜର ବନ୍ଦୀ କରି ରଖୁଛନ୍ତି। ଜିପିଆରଏସ୍‌ରେ ଚାଲୁଥିବା ଏହି ସାଇକେଲଗୁଡ଼ିକ କେମିତି ବିଭାଗୀୟ ଅଧିକାରୀଙ୍କ ଆଖି ଆଢୁଆଳରୁ ଦୂରରେ ରହୁଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ତେବେ ପ୍ରଦୂଷଣ ମାତ୍ରା ହ୍ରାସ ଓ ଟ୍ରାଫିକ୍‌ ସମସ୍ୟାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ସ୍ମାର୍ଟସିଟି ମିଶନରେ ରାଜଧାନୀରେ ‘ମୋ ସାଇକେଲ’ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ନଭେମ୍ବର ୨୮ରେ ହକି ବିଶ୍ବକପ୍‌ ପୂର୍ବରୁ ବହୁ ଆଡ଼ମ୍ବରରେ ମୋ ସାଇକେଲ ଉଦ୍‌ଘାଟନ ହେଲା। ଏବେ ଲୋକେ ମୋ ସାଇକେଲରୁ ମୁହଁ ଫେରାଇ ନେଉଛନ୍ତି। ‘ଫନୀ’ ପରେ ସହରରେ ଏବେ ମୋ ସାଇକେଲ ଚାଲୁଥିବା ଆଉ ପୂର୍ବପରି ଦେଖିବାକୁ ମିଳୁନି। ପୂର୍ବପରି ସାଇକେଲଗୁଡ଼ିକ ମଧ୍ୟ ଷ୍ଟାଣ୍ଡରେ ରହୁନାହିଁ। ଅଧିକାଂଶ ଷ୍ଟାଣ୍ଡ ଏବେ ଫାଙ୍କା ପଡ଼ିଛି। ସାଇକେଲ ଲୋକେ ଚଳାଇ ସାରିବା ପେର ଯେଉଁଠି ଇଚ୍ଛା ସେଠି ପକାଇ ଚାଲି ଯାଉଛନ୍ତି। ମୋ ସାଇକେଲ ରକ୍ଷଣା ବେକ୍ଷଣ ପାଇଁ ୩ଟି ସଂସ୍ଥାକୁ ୫ ବର୍ଷ ଦାୟିତ୍ୱ ଦିଆଯାଇଥିଲା। ହେଲେ ସେମାନେ କ’ଣ କରୁଛନ୍ତି ତାହା ଏବେ ସହରର ଗଳିକନ୍ଦିରେ ପଡିଥିବା ସାଇକେଲରୁ ଅନୁମେୟ। ଯେଉଁ ଉଦ୍ଦେଶ୍ୟ ରଖି ଏହି ଯୋଜନା ଆରମ୍ଭ ହୋଇଥିଲା ତାହା କେତେ କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ କେବଳ ଅଧିକାରୀମାନେ ଜାଣିଥିବେ ବୋଲି ଅଭିଯୋଗ ହେଉଛି।
ରାଜଧାନୀ ଭୁବନେଶ୍ୱର ସ୍ମାର୍ଟସିଟି ମାନ୍ୟତା ପାଇବା ପରେ ଏଠାରେ ବିଭିନ୍ନ ସ୍ମାର୍ଟ ଯୋଜନା ହାତକୁ ନିଆଯାଉଛି। ବିଏମ୍‌ସି ଓ ବିଡିଏ ସହ ସ୍ମାର୍ଟସିଟି ଲିମିଟେଡ ଏହି ଯୋଜନାକୁ ରାଜ୍ୟରେ ଲାଗୁ କରୁଛି। ମାତ୍ର ଯୋଜନା ଆରମ୍ଭ କରି ବିଭାଗ ନିଘୋଡ଼ ନିଦ୍ରାରେ ଶୋଇପଡୁଛି। ଯୋଜନାକୁ ସଫଳ ରୂପାୟନ କରିବାକୁ କେଉଁ କେଉଁ ପନ୍ଥା ଆପଣାଇବା ଆବଶ୍ୟକ ସେ ସମ୍ପର୍କରେ ଅଧିକାରୀମାନେ ଯେମିତି ଚିନ୍ତା କରୁ ନ ଥିବା ଅଭିଯୋଗ ହେଉଛି। ଏ ନେଇ ବିଭାଗୀୟ ଅଧିକାରୀ ଦୀପ୍ତି ମହାପାତ୍ର କହିଛନ୍ତି, ମୋ ସାଇକେଲକୁ ପୂର୍ବପରି ହିଁ ଷ୍ଟାଣ୍ଡରେ ରଖାଯାଉଛି। ବାସ କେଉଁଠି କମ୍‌ ତ କେଉଁଠି ଅଧିକ, କିନ୍ତୁ ସହରର ସମସ୍ତ ସ୍ଥାନରେ ଏହା ଉପଲବ୍ଧ ଅଛି। ହେଲେ ଯେଉଁମାନେ ମୋ ସାଇକେଲର ବ୍ୟବହାର କରୁଛନ୍ତି ସେମାନେ ଏଥିପ୍ରତି ସଚେତନ ହେଉନାହାନ୍ତି। ଏଣେ ତେଣେ ଫିଙ୍ଗି ଦେଉଛନ୍ତି। ପରେ କର୍ମଚାରୀମାନେ ତାକୁ ଟ୍ରାକ୍‌ କରି ଉଦ୍ଧାର କରୁଛନ୍ତି ବୋଲି ସେ କହିଛନ୍ତି।

Share