ଲୋକଙ୍କ ସମସ୍ୟା ବୁଝିଲେ ଗୃହ ବିଭାଗ ପ୍ରମୁଖ ସଚିବ

ଜି.ଉଦୟଗିରି,୧୧ା୧୨(ଡି.ଏନ.ଏ.)-ଗୃହ ବିଭାଗର ପ୍ରମୁଖ ସଚିବ ତଥା କନ୍ଧମାଳ ଜିଲା ନୋଡାଲ ଅଫିସର ସଞ୍ଜୀବ ଚୋପ୍ରା ମଙ୍ଗଳବାର ଜି.ଉଦୟଗିରି ବ୍ଲକର ବିଭିନ୍ନ ଗ୍ରାମ ଗସ୍ତକରି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି। ଅପରାହ୍ନରେ ପ୍ରଥମେ ଜି.ଉଦୟଗିରି ବ୍ଲକ ଜବେଡି ଗ୍ରାମ ପରିଦର୍ଶନ କରି ଲୋକଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମବାସୀ ଅନେକ ସମସ୍ୟା ସହିତ ରାସ୍ତାଘାଟ ମରାମତି କରିବା ପାଇଁ ସଚିବଙ୍କୁ କହିଥିଲେ। ଏହାପରେ ସଚିବ ଜି.ଉଦୟଗିରି ଆହାର କେନ୍ଦ୍ର ପରିଦର୍ଶନ ସହ ଭୋଜନ କରି ଖାଦ୍ୟର ମାନ ଯାଞ୍ଚ କରିଥିଲେ। ସଚିବଙ୍କ ସହିତ କନ୍ଧମାଳ ଜିଲାପାଳ ବୃନ୍ଦା ଡି.ମଧ୍ୟ ଆହାର କେନ୍ଦ୍ରରେ ଭୋଜନ କରିଥିଲେ। ସେଠାରେ ଦିନ ଗୋଟାଏ ସୁଦ୍ଧା ୩୦୦ ପ୍ଲେଟ ଖାଦ୍ୟ ସରିଯାଇଛି। ତେଣୁ ଆହାର କେନ୍ଦ୍ରର ପ୍ଲେଟ ସଂଖ୍ୟା ୫୦୦କୁ ବୃଦ୍ଧି କରିବାକୁ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜି.ଉଦୟଗିରି ହସ୍ପିଟାଲରେ ଦୀର୍ଘବର୍ଷ ହେବ ବିଭିନ୍ନ ବିଭାଗ ବିଶେଷଜ୍ଞ ପଦବୀ ଖାଲି ପଡ଼ିଛି। ସେସବୁ ପୂରଣ କରିବାକୁ ଜନସାଧାରଣ କହିଥିଲେ। ଗୃହ ସଚିବ ଆହାର କେନ୍ଦ୍ରର ପ୍ଲେଟ ସଂଖ୍ୟା ୩୦୦ରୁ ୫୦୦କୁ ବୃଦ୍ଧି କରିବାକୁ ସହମତି ପ୍ରକାଶ କରିଥିଲେ। ଡ଼ାକ୍ତର ପଦବୀ ଓ ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ଜିଲାପାଳଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି କହିଥିଲେ। ଏହା ପରେ ଜି.ଉଦୟଗିରି ବ୍ଲକକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ସେଠାରୁ ବାଡ଼ାନାଯୁ ଗ୍ରାମକୁ ଯାଇ ଲୋକଙ୍କ ସହିତ ଆଲୋଚନା କରିଥିଲେ। ଗ୍ରାମବାସୀ ପାନୀୟ ଜଳ ସମସ୍ୟା ଓ ଜଳସେଚନ ନିମନ୍ତେ ଥିବା କେନାଲକୁ ମରାମତି କରିବା ପାଇଁ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ କଳିଙ୍ଗା ଆଶ୍ରମ ବିଦ୍ୟାଳୟ ଛାତ୍ରୀ ନିବାସ ପରିଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱନାଥ ବାରିକ, ଜି.ଉଦୟଗିରି ବିଡିଓ ଶାନ୍ତନୁ କୁମାର ନାୟକ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମହାପାତ୍ର, ଆଇଆଇସି ଧୀରଜ କୁମାର ଲେଙ୍କା, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ବାଇଧର ଗୌଡ଼ଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।

Share