Categories: ମେଟ୍ରୋ

ଲୋକଙ୍କ ସମସ୍ୟା ସମାଧାନ ପାଇଁ ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ: ଫେସ୍‌ବୁକ, ଟୁଇଟରରେ କରିପାରିବେ ଅଭିଯୋଗ

ଭୁବନେଶ୍ୱର,୧।୮(ବ୍ୟୁରୋ): ଜନସାଧାରଣଙ୍କୁ ଏବେ ସ୍ବାସ୍ଥ୍ୟଜନିତ ସମସ୍ୟା ଜଣାଇବାକୁ ଏଣେତେଣେ ବୁଲିବାକୁ ପଡିବନି। ଏଣିକି ସୋସିଆଲ ମିଡିଆରେ ସ୍ବାସ୍ଥ୍ୟ ସମ୍ପର୍କିତ ଅଭିଯୋଗ ହୋଇପାରିବ। ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତର କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କେତେକ ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ଫେସ୍‌ବୁକ, ଟୁଇଟର ଭଳି ସୋସିଆଲ ମିଡିଆ ସହିତ ଯୋଡ଼ି ଦିଆଯାଇଛି। ସାଧାରଣ ଲୋକେ ଏହି ସୋସିଆଲ ମିଡିଆ ସାହାଯ୍ୟରେ ସରକାରୀ ସୁବିଧାଗୁଡ଼ିକୁ ସହଜରେ ପାଇପାରିବେ। ଏହି ପର୍ଯ୍ୟାୟରେ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, ରକ୍ତ ସୁରକ୍ଷା ନିର୍ଦ୍ଦେଶାଳୟ, କଟକସ୍ଥିତ ଶିଶୁ ଭବନ ଓ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ସୋସିଆଲ ମିଡିଆରେ ଯୋଡ଼ି ହୋଇଯାଇଛି। ଏହିସବୁ ସଂସ୍ଥାର ଟୁଇଟର ଓ ଫେସ୍‌ବୁକ ଆକାଉଣ୍ଟକୁ କୌଣସି ସାଧାରଣ ନାଗରିକ ବ୍ୟବହାର କରି ସେମାନଙ୍କର ଆପତ୍ତି ଅଭିଯୋଗ ଜଣାଇପାରିବେ କିମ୍ବା ପ୍ରସ୍ତାବ ଦେଇପାରିବେ।
କଟକସ୍ଥିତ ଏସ୍‌ସିବିର ଟୁଇଟର ଆକାଉଣ୍ଟ ଠିକଣା @Scbmchctc ହୋଇଥିବା ବେଳେ ଫେସ୍‌ବୁକ ଆକାଉଣ୍ଟ ଠିକଣା https://www.facebook.com/SCBMCHCTC ରହିଛି। ସେହିଭଳି କ୍ୟାପିଟାଲ ହସ୍ପିଟାଲର ଟୁଇଟର ଠିକଣା @CpitalHospital4 ରହିଥିବାବେଳେ ଫେସ୍‌ବୁକ ଆକାଉଣ୍ଟ ଠିକଣା https://www.facebook.com/capitalhospital.bhubaneswar ରହିଛି। ଅନୁରୂପ ଭାବେ ରକ୍ତ ସୁରକ୍ଷା ନିର୍ଦ୍ଦେଶାାଳୟର ଟୁଇଟର ଠିକଣା @OdishaSbtc ରହିଥିବାବେଳେ ଫେସ୍‌ବୁକ ଆକାଉଣ୍ଟର ଠିକଣା ରହିଛି https://www.facebook.com/odishabloodsafety। ଶିଶୁ ଭବନର ଟୁଇଟର ଠିକଣା @svppgip ଥିବାବେଳେ ଏହାର ଫେସ୍‌ବୁକ ଆକାଉଣ୍ଟ ଠିକଣା ହେଉଛି https://www.facebook.com/sishubhawanctc। ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ଟୁଇଟର ଆକାଉଣ୍ଟ ଠିକଣା @AcharyaCancer ରହିଥିବାବେଳେ ଏହି ସଂସ୍ଥାର ଫେସ୍‌ବୁକ ଠିକଣା ହେଉଛି https://www.facebook.com/ahrcccuttack ରହିଛି। ସେହିଭଳି ବୁର୍ଲାସ୍ଥିତ ଭିମ୍‌ସାର ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ କର୍ତ୍ତୃପକ୍ଷ ମଧ୍ୟ ତୁରନ୍ତ ସେମାନଙ୍କର ଟୁଇଟର ଓ ଫେସ୍‌ବୁକ ଭଳି ସୋସିଆଲ ମିଡିଆ ଆକାଉଣ୍ଟ କାର୍ଯ୍ୟକ୍ଷମ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଟୁଇଟର ଓ ଫେସ୍‌ବୁକ ଠିକଣାରେ ଲୋକଙ୍କଠାରୁ କୌଣସି ପ୍ରକାର ଆପତ୍ତି ଅଭିଯୋଗ ପାଇବା କ୍ଷଣି ତୁରନ୍ତ ତାହାର ସମାଧାନ ସହ ଆବଶ୍ୟକସ୍ଥଳେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦିନରେ ଅନ୍ୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡିକ ସେମାନଙ୍କର ନିଜସ୍ବ ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ପାଇଁ ମଧ୍ୟ କୁହାଯାଇଛି ା

Share