Categories: ଭଦ୍ରକ

ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ

ଭଦ୍ରକ ଅଫିସ, ୨୧।୧୨- ଭଦ୍ରକରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବର ଶୁକ୍ରବାର ଥିଲା ୩ୟ ଦିବସ। ଏଥିପାଇଁ ନେହେରୁ ଷ୍ଟାଡିୟମ, ଶହୀଦ ସ୍ମୃତି ଭବନ, ସଂସ୍କୃତି ଭବନ ସମେତ ଜିଲା ସ୍କୁଲ ପରିସର ବେଶ୍‌ ଚଳଚଞ୍ଚଳ ହୋଇଥିଲା। ମୁଖ୍ୟତଃ ନେହେରୁ ଷ୍ଟାଡିୟମ ପରିସରରେ ୧୫ଟି ଜିଲାର ଲୋକନୃତ୍ୟ ପ୍ରତିଯୋଗିତା ହେଉଥିବାରୁ ହଜାର ହଜାର ପ୍ରତିଯୋଗୀ ଓ ଦେଖଣାହାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଲୋକନୃତ୍ୟରେ ମଞ୍ଚ ଦୁଲୁକିଥିଲା। ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶକଙ୍କ ଭିଡ଼ ଜମିଥିଲା। ଟାଉନହଲ ପରିସରରେ ନାଟକ ପ୍ରତିଯୋଗିତା, ସଂସ୍କୃତି ଭବନ ଉପରମହଲାରେ ଭାରତ ନାଟ୍ୟମ୍‌, କଥକ, କୁଚିପୁଡ଼ି ଓ ମଣିପୁରୀ, ତଳମହଲାରେ ହାର୍‌ମୋନିୟମ, ତବଲା, ଜିଲା ସ୍କୁଲରେ ବକ୍ତୃତା ଓ ମୃଦଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଚାରକ ଭାବେ ୨୫ ଜଣ ଦାୟିତ୍ୱ ତୁଲାଇଥିଲେ। ଜିଲାର ବଛା ବଛା ଅଧିକାରୀଙ୍କୁ ସମସ୍ତ କାର୍ଯ୍ୟ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହିଭଳି ଶନିବାର ପୂର୍ବାହ୍ନରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ସନ୍ଧ୍ୟାରେ ଉଦ୍‌ଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି।