Categories: ଜାତୀୟ

ଲୋକପାଳ ଦେଉଛନ୍ତି ୫୦ ଲକ୍ଷ ହୋଟେଲ ଭଡ଼ା

ନୂଆଦିଲ୍ଲୀ,୨ା୧୨: ନୂଆଦିଲ୍ଲୀରେ ଲୋକପାଳ ମାସକୁ ୫୦ ଲକ୍ଷ ଟଙ୍କା ହୋଟେଲ ଭଡ଼ା ଦେଉଛନ୍ତି। ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି।
ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପି.ସି. ଘୋଷଙ୍କୁ ଗତ ମାର୍ଚ୍ଚରେ ଭାରତର ପ୍ରଥମ ଲୋକପାଳ ନିଯୁକ୍ତ କରାଯାଇଥିଲା। ସେହିପରି ୪ ନ୍ୟାୟିକ ଓ ୪ ଅଣନ୍ୟାୟିକ ସଦସ୍ୟଙ୍କୁ ମଧ୍ୟ ଲୋକପାଳ ଅଫିସରେ ନିଯୁକ୍ତି ମିଳିଥିଲା। ସେବେଠୁ ଲୋକପାଳଙ୍କ ଅଫିସ ଦିଲ୍ଲୀର ଅଶୋକା ହୋଟେଲରେ ଭଡ଼ାରେ ଚାଲୁଛି। କାରଣ ଦେଶର ଭ୍ରଷ୍ଟାଚାର ନିରୋଧୀ ସର୍ବୋଚ୍ଚ ସଂସ୍ଥାର କୌଣସି ସ୍ଥାୟୀ ଅଫିସ ନାହିଁ। ଏଥିଯୋଗୁ ସରକାରୀ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଶୁଣାଣି କରିବା ଲାଗି ସରକାରଙ୍କ ମାଲିକାନାରେ ଥିବା ହୋଟେଲ ଅଶୋକାର ସେକେଣ୍ଡ ଫ୍ଲୋର୍‌ରେ ଲୋକପାଳ ଅଫିସ ଚାଲୁଛି। ଏହି ବିଳାସପୂର୍ଣ୍ଣ ପଞ୍ଚତାରକା ହୋଟେଲର ୧୨ଟି ରୁମ୍‌ ପାଇଁ ଭଡ଼ା ବାବଦକୁ ମାସକୁ ପ୍ରାୟ ୫୦ ଲକ୍ଷ ଟଙ୍କା ଦିଆଯାଉଛି। ୨୦୧୯ ମାର୍ଚ୍ଚ ୨୨ରୁ ଅକ୍ଟୋବର ୩୧ ସୁଦ୍ଧା ୩ କୋଟି ୮୫ ଲକ୍ଷ ଟଙ୍କା ଭଡ଼ା ଦିଆଯାଇ ସାରିଲାଣି। କାର୍ମିକ ଓ ତାଲିମ ବିଭାଗ (ଡିଓପିଟି) ପକ୍ଷରୁ ଏହି ଅର୍ଥ ପଇଠ କରାଯାଇଛି। ଆର୍‌ଟିଆଇ କର୍ମୀ ଶୁଭମ୍‌ ଖତ୍ରି ଲୋକପାଳ ସେକ୍ରେଟାରିଏଟ୍‌କୁ ଏ ସମ୍ପର୍କିତ ତଥ୍ୟ ମାଗିଥିଲେ। ତାଙ୍କ ଆବେଦନର ଉପରୋକ୍ତ ଉତ୍ତର ମଳିଛି।
ଅପରପକ୍ଷେ ଆର୍‌ଟିଆଇରେ ମିଳିଥିବା ସୂଚନାନୁସାରେ ୨୦୧୯ ଅକ୍ଟୋବର ୩୧ ସୁଦ୍ଧା ସରକାରୀ କର୍ମଚାରୀମାନଙ୍କ ବିରୋଧରେ ୧,୧୬୦ଟି ଦୁର୍ନୀତି ଅଭିଯୋଗ ଗ୍ରହଣ କରିଛନ୍ତି। ସେଗୁଡ଼ିକ ମଧ୍ୟରୁ ୧୦୦୦ ଅଭିଯୋଗର ଶୁଣାଣି ଲୋକପାଳଙ୍କ ଖଣ୍ଡପୀଠରେ ହୋଇଛି। କୌଣସି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇନାହିଁ କି ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ଆର୍‌ଟିଆଇରେ ସୂଚନା ମିଳିଛି।

Share