Categories: ଜାତୀୟ

ଲୋକସଭାରେ ପ୍ରସଙ୍ଗ ଉପସ୍ଥାପନ ପାଇଁ କଂଗ୍ରେସ ନେତାଙ୍କ ସହାୟତା ନେଉଥିଲେ ସୁମିତ୍ରା ମହାଜନ

ନୂଆଦିଲ୍ଲୀ,୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ନେଇ ଶିଳ୍ପପତି ରାହୁଳ ବଜାଜ୍‌ଙ୍କର ଟିପ୍ପଣୀ ପରେ ଏବେ ପୂର୍ବତନ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ମନ୍ତବ୍ୟ ନେଇ ରାଜନୈତିକସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ସୋସିଆଲ ମିଡ଼ିଆରେ ଏହା ଏବେ ଭାଇରାଲ ହେବାରେ ଲାଗିଛି। ସୁମିତ୍ରା କହିଛନ୍ତି ଯେ, ଲୋକସଭାରେ କୌଣସି ପ୍ରସଙ୍ଗ ଉପସ୍ଥାପନ ପାଇଁ ସେ କେତେକ କଂଗ୍ରେସ ନେତାଙ୍କ ସହାୟତା ନେଉଥିଲେ। ମଧ୍ୟପ୍ରଦେଶରେ ସେତେବେଳେ ଶିବରାଜ ସିଂ ଚୌହ୍ବାନଙ୍କର ଭାଜପା ସରକାର ଥିଲା। ତେବେ ରାଜ୍ୟର କିଛି ସମସ୍ୟା ଲୋକସଭାରେ ଉପସ୍ଥାପନ କରିବା ଲାଗି ସେ କଂଗ୍ରେସ ନେତା ଜିତୁ ପଟଓ୍ବାରୀ ଏବଂ ତୁଳସୀ ସିଲାଓ୍ବଟ୍‌ଙ୍କୁ ଅନୁରୋଧ କରୁଥିଲେ। ରାଜ୍ୟରେ ନିଜ ଦଳ ଭାଜପା ଶାସନ କରୁଥିବାରୁ ସୁମିତ୍ରା ଚୁପ୍‌ ରହିବାକୁ ବାଧ୍ୟ ହେଉଥିଲେ ବୋଲି କହିଛନ୍ତି। ଗତ ରବିବାର ମଧ୍ୟପ୍ରଦେଶ ଶିକ୍ଷାମନ୍ତ୍ରୀ ଜିତୁ ପଟଓ୍ବାରୀ ନିଜ ଘରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଥିଲେ। ଏଥିରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲାଜୀ ଟଣ୍ଡନ, ସୁମିତ୍ରା ଏବଂ ତୁଳସୀ ଉପସ୍ଥିତ ଥିଲେ। କଥାଛଳରେ ସୁମିତ୍ରା ଏଭଳି ମନ୍ତବ୍ୟ ଦେଇଥିଲେ।

Share