ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର ଦ୍ୱାରା ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର କରି ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ଜଣେ ବ୍ୟକ୍ତିଙ୍କ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ବି.ଆର. ଲାଇଫ୍‌ କଳିଙ୍ଗ ହସ୍ପିଟାଲରେ ହୋଇଥିବା ଏହି ଅସ୍ତ୍ରୋପଚାରରେ ତାଙ୍କ ଜୀବନ ରକ୍ଷା ହେବାସହ ନାକ ଏବଂ ଓଠର ପୁନଃଗଠନ ସମ୍ଭବ ହୋଇଛି। ବଣ୍ଡମୁଣ୍ଡାରେ ରହୁଥିବା ୩୦ବର୍ଷୀୟ ବ୍ରହ୍ମାନନ୍ଦ ଗିରି ନିକଟରେ ନିଜ ବାଇକରେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ହେଲମେଟ୍‌ ପିନ୍ଧିଥିବାରୁ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲେ ମଧ୍ୟ ମୁହଁ, ଛାତି ଓ ମୂତ୍ରାଶୟରେ ଗଭୀର ଆଘାତ ଲାଗିଥିଲା। ନାକ, ଓଠ ଏବଂ ଉପର ଓ ତଳ ଥୋଡ଼ି ନଷ୍ଟ ହୋଇଯାଇଥିବାବେଳେ ମୁହଁ ଓ ଖପୁରିର ତଳ ଭାଗରୁ ଗଭୀର ରକ୍ତସ୍ରାବ ହେଉଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ହସ୍ପିଟାଲର ଜରୁରିକାଳୀନ ବିଭାଗରେ ଚିକିତ୍ସା କରାଯାଇଥିଲା। ଅଧିକ ରକ୍ତସ୍ରାବ କାରଣରୁ ବ୍ରହ୍ମାନନ୍ଦଙ୍କୁ ୬ଘଣ୍ଟା ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରଖାଯିବା ପରେ ପ୍ଲାଷ୍ଟିକ୍‌ ଓ କସମେଟିକ୍‌ ସର୍ଜରି ବିଭାଗ ବରିଷ୍ଠ ପରାମର୍ଶଦାତା ଡା. ଅକ୍ଷୟ ରାଉତ ତାଙ୍କ ମୁହଁରେ ସୁଧାରତ୍ମକ ସର୍ଜରି କରିଥିଲେ। ମୁହଁ ଓ ନାକର ହାଡ଼ ନଷ୍ଟ ହୋଇଯାଇଥିବାରୁ ସର୍ଜରି ଦ୍ୱାରା ଲୋକାଲ ଫ୍ଲାପ୍‌ ଟିସ୍ୟୁ ବ୍ୟବହାର କରି ତାଙ୍କ ନାକ ପୁନଃଗଠନ ହୋଇଥିଲା। ଏହାସହ ଓଠ ଏବଂ ଉଭୟ ଥୋଡ଼ିକୁ ସଜଡ଼ାଯାଇଥିଲା। ବ୍ରହ୍ମାନନ୍ଦ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ଯୋଗୁ ଚିକିତ୍ସା କରିଥିବା ଡାକ୍ତର ଏବଂ ହସ୍ପିଟାଲକୁ ନେଇଥିବା ଲୋକମାନଙ୍କୁ ସେ କୃତଜ୍ଞତା ଜ୍ଞାପନ କରିଛନ୍ତି।

Share