ଲୋକ ରୁଣ୍ଡ ଦେଖି ପିପଲବାହାଲ ଗ୍ରାମବାସୀ ଭୟଭୀତ

ଲାଠୋର,୩୧।୩ (ଡି.ଏନ.ଏ.): ମହାମାରୀ କରୋନା ଭାଇରସ (ଭୂତାଣୁ) ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି। ରୋଗୀ ସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ସାଧାରଣ ଜନତାଙ୍କ ମନରେ ଭୟ ସୃଷ୍ଟି ହୋଇଛି। କେନ୍ଦ୍ର ସରକାର ଗତ ୨୩ ତାରିଖରୁ ତାଲାବନ୍ଦ ଘୋଷଣା କରିଛନ୍ତି। ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରାଯାଉଛି। ହେଲେ କେତେକ ଜାଗାରେ ସାମାଜିକ ଦୂରତ୍ୱ ରକ୍ଷା କରିବା ଉଲଂଘନ ହେଉଥିବାରୁ ଲୋକ ଭୟଭୀତ ହେଉଛନ୍ତି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ୍‌ ଲାଠୋର ପଞ୍ଚାୟତ ଅନ୍ତର୍ଗତ ପିପଲବାହାଲରେ ଏଭଳି ଦେଖିବାକୁ ମିଳିଛି। ରେଳ ବିଭାଗ କାମରେ ନିୟୋଜିତ କେତେକ ଶ୍ରମିକଙ୍କୁ ଆଣି ପିପଲବାହାଲରେ ଠିକାଦାର ରୁଣ୍ଡ କରିଛନ୍ତି। ଏହା ଦେଖି ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ସରକାର ସାମାଜିକ ଦୂରତା ରକ୍ଷା କରିବା ପାଇଁ ସଚେତନ କରୁଛନ୍ତି। ହେଲେ ଠିକାଦାର ଜଣକ ଅଧିକ ସଂଖ୍ୟରେ ଶ୍ରମିକ ଆଣି ଗୋଟିଏ ଜାଗାରେ ନିୟୋଜିତ କରିବା ସାମାଜିକ ଦୂରତ୍ୱର ଉଲଂଘନ ହେଉଛି।

Share