Categories: ଜାତୀୟ

ଲୋକ ସଭାରେ ଆଗତ ହେଲା ଟ୍ରିପଲ୍‌ ତଲାକ୍‌ ବିଲ୍‌: ବିରୋଧୀଙ୍କ ହଙ୍ଗାମା

ନୂଆଦିଲ୍ଲୀ, ୨୧।୬: ଶୁକ୍ରବାର ଲୋକ ସଭାରେ ‘ଟ୍ରିପଲ ତଲାକ’ ବିଲ୍‌ ଆଗତ କରାଯାଇଛି। କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସଂସଦରେ ଉପସ୍ଥାପନ କରିଛନ୍ତି। ମହିଳାଙ୍କୁ ନ୍ୟାୟ ଦେବାରେ ଏହା ଏକ ବଡ ପଦକ୍ଷେପ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି। ମୁସଲିମ ମହିଳା (ବିବାହ ଅଧିକାର ସୁରକ୍ଷା) ବିଲ ୨୦୧୯ ନାମରେ ନାମିତ ଏହି ବିଲ ଲୋକ ସଭାରେ ଆଗତ ହେବାପରେ ବିରୋଧୀ ହଙ୍ଗାମା କରିଥିଲେ। କଂଗ୍ରେସ ନେତା ଶଶି ଥରୁର ବିଲକୁ ବିରୋଧ କରି କହିଥିଲେ, ସବୁ ସମୁଦାୟର ଲୋକଙ୍କ ପାଇଁ ନିୟମ ଲାଗୁ ହେଉ। ମୁସଲିମ୍‌ ନେତା ଅସଉଦ୍ଦିନ୍‌ ଓବୈସି କହିଛନ୍ତି, ଏହି ବିଲ୍‌ ସମ୍ବିଧାନ ବିରୋଧୀ। ଏହାଦ୍ୱାରା ମୁସଲିମ୍‌ ପୁରୁଷଙ୍କୁ କେବଳ ଦଣ୍ଡ ମିଳିବ। ସୂଚନାଯୋଗ୍ୟ,୧୭ତମ ଲୋକ ସଭା ଗଠନ ହେବା ପରେ ମୋଦି ସରକାର ଦ୍ୱିତୀୟ କାର୍ଯ୍ୟକାଳରେ ଏହା ପ୍ରଥମ ବିଲ୍‌ ହେବ। ଗତ ଏନଡିଏ ସରକାର ସମୟରେ ମଧ୍ୟ ଏହି ବିଲ୍‌ ଆସିଥିଲା। କିନ୍ତୁ ରାଜ୍ୟସଭାରେ ପାରିତ ହୋଇପାରି ନ ଥିଲା। ଏହି ବିଲ ପାରିତ ହେଲେ ତିନି ଥର ତଲାକ କହି ଛାଡପତ୍ର ଦେଉଥିବା ମୁସଲିମ ପୁରୁଷଙ୍କୁ ୩ ବର୍ଷର ଜେଲ ହୋଇପାରିବ।

Share