ଲୋକ ସଭାରେ ଉଠିଲା ଓଡ଼ିଶା ପିଏମ୍‌ଏଓ୍ବାଇ ଦୁର୍ନୀତି ପ୍ରସଙ୍ଗ

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ଦୁର୍ନୀତି ହୋଇଥିବା ନେଇ ଲୋକ ସଭାରେ ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ ପ୍ରଶ୍ନ ଉଠାଇଛନ୍ତି। ଅପରାଜିତା ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ହୋଇଥିବା ଦୁର୍ନୀତିକୁ ନେଇ ଦାୟିତ୍ୱରେ ଥିବା ଅଫିସରଙ୍କ ବିରୋଧରେ ସରକାର କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଅପରାଜିତାଙ୍କ ଏହି ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଓଡ଼ିଶା ସରକାର ଏକ ରିପୋର୍ଟ ଦାଖଲ କରି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ୩୨ ହିତାଧିକାରୀଙ୍କୁ ଘର ପ୍ରଦାନରେ ଅନିୟମିତତା ହୋଇଛି। ଏ ନେଇ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ୪ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହାସହ ଏହି ଅନିୟମିତତାରେ ସମ୍ପୃକ୍ତ ଥିବା ୩ଜଣଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ପ୍ରସଙ୍ଗରେ ଅପରାଜିତା କହିଛନ୍ତି, କାର୍ଯ୍ୟାନୁଷ୍ଠାନରେ ଏତେ ଡେରି କାହିଁକି। କାହିଁକି ତାଙ୍କୁ ପାର୍ଲାମେଣ୍ଟରେ କଥା ଉଠାଇବାକୁ ପଡିଲା। ଯେତେବେଳେ ଏଭଳି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କଲି ସେତେବେଳୁ କାହିଁକି କାର୍ଯ୍ୟାନୁଷ୍ଠାନ ନ ହେଲା। ପାର୍ଲାମେଣ୍ଟରେ ପ୍ରସଙ୍ଗ ଉଠାଇବାରୁ ରାଜ୍ୟ ସରକାର ତଦନ୍ତ କଲେ। ଯଦି ସୁନ୍ଦରଭାବେ ସରକାର ଚାଲନ୍ତା ତେବେ ଏମିତି ପରିସ୍ଥିତି ସୃଷ୍ଟି ହୁଅନ୍ତା ନାହିଁ ବୋଲି ସେ କହିଛନ୍ତି।

Share