ଲୋକ ସଭାରେ ଶପଥ ନେଲେ ଓଡ଼ିଶାର ୧୬ ଏମ୍‌ପି

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ସପ୍ତଦଶ ଲୋକ ସଭାର ପ୍ରଥମ ଅଧିବେଶନ ସୋମବାରଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ନବନିର୍ବାଚିତ ସଦସ୍ୟମାନଙ୍କ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହର ନେତାଭାବେ ଶପଥ ନେଇଥିଲେ। ଏହାପରେ ଅନ୍ୟ ସଦସ୍ୟମାନେ ଶପଥ ନେଇଛନ୍ତି। ଓଡ଼ିଶାରୁ ନିର୍ବାଚିତ ହୋଇଯାଇଥିବା ଏମ୍‌ପିମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ବାଲେଶ୍ୱର ଲୋକ ସଭା ଆସନରୁ ଏମ୍‌ପି ହୋଇଥିବା ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ସଂସ୍କୃତରେ ଶପଥ ନେଇଛନ୍ତି। ଲୋକ ସଭାର ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ସଦସ୍ୟମାନଙ୍କୁ ଶପଥ ପାଠ କରାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ତଥା ଏମ୍‌ପି ଭର୍ତ୍ତୃହରି ମହତାବ ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି। ସେହିପରି କେନ୍ଦୁଝର ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ, ଭଦ୍ରକ ଏମ୍‌ପି ମଞ୍ଜୁଲତା ମଣ୍ଡଳ, ଯାଜପୁର ଏମ୍‌ପି ଶର୍ମିଷ୍ଠା ସେଠୀ, ଢେଙ୍କାନାଳ ଏମ୍‌ପି ମହେଶ ସାହୁ, ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝୀ, କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ, ଜଗତ୍‌ସିଂହପୁର ଏମ୍‌ପି ରାଜଶ୍ରୀ ମଲିକ, ପୁରୀ ଏମ୍‌ପି ପିନାକୀ ମିଶ୍ର, ଆସ୍କା ଏମ୍‌ପି ପ୍ରମିଳା ବିଶୋୟୀ, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଓଡ଼ିଆରେ ଶପଥ ନେଇଛନ୍ତି। ଚନ୍ଦ୍ରାଣୀ ମୁର୍ମୁ ସାନ୍ତାଳୀ ଭାଷାରେ ଶପଥ ନେଇଛନ୍ତି। ସେହିପରି ଭାଜପା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ବସନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ସେହିପରି ଓଡ଼ିଶାରୁ ନିର୍ବାଚିତ ହୋଇଥିବା ଏକମାତ୍ର କଂଗ୍ରେସ ଏମ୍‌ପି ସପ୍ତଗିରି ଉଲ୍ଲାକା ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି। ଓଡ଼ିଶାର ୨୧ ଏମ୍‌ପିଙ୍କ ମଧ୍ୟରୁ ୫ଜଣ ଶପଥ ଗ୍ରହଣ କରିନାହାନ୍ତି। ବରଗଡ଼ ଏମ୍‌ପି ସୁରେଶ ପୂଜାରୀ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା ସିଂ ଦେଓ, ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ, ସମ୍ବଲପୁର ଏମ୍‌ପି ନିତୀଶ ଗଙ୍ଗଦେବ ଏବଂ କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ମଙ୍ଗଳବାର ଶପଥ ନେବେ ବୋଲି ଜଣାପଡ଼ିଛି।

Share