Categories: ବାଣିଜ୍ୟ

ଲୋକ ସଭାରେ ସ୍ପଷ୍ଟ କଲେ ଗଡ଼କରୀ: ଉନ୍ନତ ସଡ଼କ ଚାହୁଁଥିଲେ ଟୋଲ୍‌ ଟିକସ ଦେବାକୁ ହେବ

ନୂଆଦିଲ୍ଲୀ,୧୬-୭: ଟୋଲ୍‌ ଟିକସ ଆଦାୟକୁ ନେଇ କେନ୍ଦ୍ର ସଡ଼କ ପରିବହନ ତଥା ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ମଙ୍ଗଳବାର ସରକାରଙ୍କ ମତ ସ୍ପଷ୍ଟ କରିଛନ୍ତି। ଉନ୍ନତ ସଡ଼କ ଚାହୁଁଥିଲେ ଜନତାଙ୍କୁ ଜୀବନ ସାରା ଟୋଲ୍‌ ଟିକସ ଦେବାକୁ ପଡିବ ବୋଲି ସେ କହିଛନ୍ତି। ଟୋଲ୍‌ ରାଶି କମ୍‌ ଅଥବା ଅଧିକ ହୋଇପାରେ। ସେ କହିଛନ୍ତି ଯେ, ଟୋଲ୍‌ର ଜନ୍ମଦାତା ସେ ନିଜେ। ମଙ୍ଗଳବାର ଲୋକ ସଭାରେ ବଜେଟରେ ସଡ଼କ ପରିବହନ ଓ ଜାତୀୟ ରାଜପଥ ଅନୁଦାନ ନେଇ ଆଗତ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଗଡ଼କରୀ। ସେ କହିଛନ୍ତି ଯେ, ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଏଣୁ ଉନ୍ନତ ସଡ଼କ ନିର୍ମାଣ କରିବାକୁ ହେଲେ ଅର୍ଥ ଆବଶ୍ୟକ। ଏଥିପାଇଁ ସମସ୍ତଙ୍କୁ ଟୋଲ୍‌ ଟିକସ ଦେବାକୁ ହେବ। ତାଙ୍କର କହିବାନୁଯାୟୀ, ସରକାର ୨୨ ଗ୍ରିନ୍‌ ଏକ୍ସପ୍ରେସ୍‌ଓ୍ବେ ନିର୍ମାଣ କରୁଛନ୍ତି। ତନ୍ମଧ୍ୟରୁ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍‌ଓ୍ବେ ଅନ୍ୟତମ। ଏହି ସଡ଼କପଥ ନିର୍ମାଣ ପରେ ଦିଲ୍ଲୀରୁ ମାତ୍ର ୧୨ ଘଣ୍ଟାରେ ମୁମ୍ବାଇରେ ପହଞ୍ଚତ୍ ହେବ। ସେ କହିଛନ୍ତି ଯେ, ଏନ୍‌ଡିଏ ସରକାର ଗତ ୫ ବର୍ଷରେ ୪୦ ହଜାର କିମି ଜାତୀୟ ରାଜପଥ ନିର୍ମାଣ କରିଛନ୍ତି। ଟୋଲ୍‌ ଅର୍ଥରେ ଗ୍ରାମାଞ୍ଚଳ ତଥା ପାହାଡିଆ ସ୍ଥାନରେ ରାସ୍ତା ତିଆରି କରାଯାଉଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

Share